Categories: ଖେଳ

ଭୋ ଭୋ ହୋଇ କାନ୍ଦିଲେ ମଣିପୁର ଖେଳାଳି

ହାଙ୍ଗଝୋ,୨୮।୯: ଭାରତୀୟ ୱଶୁ ଖେଳାଳି ରୋଶିବିନା ଦେବୀ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୬୦ କିଲୋଗ୍ରାମ ମହିଳା ବର୍ଗରେ ରୋଶିବିନା ରୌପ୍ୟ ପଦକ ଜିତିଥିଲେ। ଯଦିଓ ରୋଶିବିନାଙ୍କୁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ମିଳିଥିଲା, କିନ୍ତୁ ସେ ଫାଇନାଲ ମ୍ୟାଚରେ ଚାଇନା ଖେଳାଳିଙ୍କ ବିପକ୍ଷରେ ହାରିଯାଇଥିଲେ। ତେବେ ରୌପ୍ୟ ପଦକ ଜିତିବା ପରେ ରୋଶିବିନାଙ୍କ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୋଶିବିନା ମଣିପୁରର ପରିସ୍ଥିତି ବିଷୟରେ କହି ଭୋ ଭୋ ହୋଇ କାନ୍ଦୁଥିଲେ।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ରୋଶିବିନା ଦେବୀ କାନ୍ଦୁଛନ୍ତି। ଏହି ଭିଡିଓରେ ରୋଶିବିନା ଦେବୀ କହୁଛନ୍ତି ଯେ, ମେ ମାସ ପରେ ମୁଁ ମୋ ପରିବାରକୁ ଦେଖିନାହିଁ। ମୋର କୋଚ ମୋତେ ମୋ ପରିବାର ସହିତ କଥାବାର୍ତ୍ତା କରିବାକୁ ମନା କରିଛନ୍ତି। ମୋର କୋଚ ବିଶ୍ୱାସ କରନ୍ତି ଯେ ଯଦି ମୁଁ ମୋ ପରିବାର ସହିତ ଏପରି ପରିସ୍ଥିତିରେ କଥାବାର୍ତ୍ତା କରେ, ତେବେ ମୁଁ ଚିଡ୍‌ଚିଡା ହେବି, ଯାହା ମୋର ପ୍ରଶିକ୍ଷଣକୁ ପ୍ରଭାବିତ କରିବ। ଏହି କାରଣରୁ ମୁଁ ଗତ ୫ ମାସ ଧରି ମୋ ପରିବାର ସହିତ କଥା ହୋଇପାରି ନାହିଁ।
ସୂଚନାଯୋଗ୍ୟ ଯେ, ଏସୀୟ ଗେମ୍ସରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ୱଶୁ ଖେଳାଳି ରୋଶିବିନା ଦେବୀ ପଦକ ଜିତିଛନ୍ତି। ଏହାପୂର୍ବରୁ ରୋଶିବିନା ଦେବୀ ଏସୀୟ ଗେମ୍ସ ୨୦୧୮ରେ ବ୍ରୋଞ୍ଜ ପଦକ ଜିତିଥିଲେ। ରୋଶିବିନା ଦେବୀ ମଣିପୁର ରାଜ୍ୟର ବାସିନ୍ଦା। ଗତ କିଛି ମାସ ଧରି ମଣିପୁରରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ରାଜ୍ୟରେ କ୍ରମାଗତ ହିଂସା ଜାରି ରହିଛି। ତେବେ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ରୋଶିବିନା ଦେବୀଙ୍କ ଯନ୍ତ୍ରଣା ବର୍ତ୍ତମାନ ପ୍ରକାଶ ପାଇଛି।

 

Share