ନବୀନ ବାବୁ ବିରୋଧୀଙ୍କୁ କେବେ କହିବେନି ଚୋର-ଚଣ୍ଡାଳ : ସମୀର ମହାନ୍ତି

ଭୁବନେଶ୍ୱର,୨୪।୫(ଶର୍ମିଷ୍ଠା ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି। ବିଗତ କିଛି ଦିନ ହେଲା ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଉଥିବା ଭିଡିଓଗୁଡ଼ିକୁ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ କରାଯାଉଛି। ଭିଡିଓଗୁଡିକୁ ଦେଖିବା ପରେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବା ସହିତ ଏହା ଏକ ସମ୍ବେଦନଶୀଳ ବିଷୟ ବୋଲି ଅନୁଭବ ହେଉଛି। ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଲୋକଙ୍କ ପାଖରେ ଉପସ୍ଥାପନ କରାଯାଉଛି, ତାହା ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି। ନବୀନ ବାବୁ ବିରୋଧୀଙ୍କୁ ଚୋର ଓ ଚଣ୍ଡାଳ କେବେ କହିବେନି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ମୁଖ୍ୟମନ୍ତ୍ରୀଙ୍କ ଭିଡିଓରେ ଫନ୍‌ ମ୍ୟୁଜିକ୍‌ ଦିଆଯାଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନମୁକ୍ତ କରିବା ପାଇଁ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମହାନ୍ତି କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନ ସମ୍ପୂର୍ଣ୍ଣ ରୂପେ ବନ୍ଧକ ରଖିଥିବା ନେଇ ଯଥେଷ୍ଟ ପ୍ରମାଣ ଥିବା ସତ୍ତ୍ୱେ ରାଜ୍ୟ ପ୍ରଶାସନ ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଜେଡି ପକ୍ଷରୁ ସାମାଜିକ ଗଣାମାଧ୍ୟମରେ ପ୍ରଚାର କରାଯାଉଥିବା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓଗୁଡ଼ିକ ଇଓ ଭିଡ଼ିଓ ଭଳି ଜଣାପଡୁଛି। ମୁଖ୍ୟମନ୍ତ୍ରୀଙ୍କ କଥା ପଞ୍ଜୁରି ଭିତରେ ଶୁଆକୁ କଥା କୁହାଇବା ଭଳି ଲାଗୁଛି। ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଗମ୍ଭୀରତାର ସହ ନେବା ଉଚିତ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।