ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ପୋଡି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ପୋଷ୍ଟର ବ୍ୟାନର ମାରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ମାଓବାଦୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ମାଶ୍ରୀପଡ଼ା ଠାରୁ କଣ୍ଟାମାଳ ପର୍ଯ୍ୟନ୍ତ ରାଜ୍ୟ ରଜପଥ ନିର୍ମାଣ ଚାଲିଛି । ଏକ ଠିକାଦାର ସଂସ୍ଥା ଏହି କାର୍ଯ୍ୟ ବହୁଦିନ ହେବ କରୁଛି। ସୋମବାର ବିଳମ୍ବିତ ରାତିରେ ମାଓବାଦୀମାନେ କିଆମୁଣ୍ଡା ପାଖରେ ପହଞ୍ଚି ରାସ୍ତା କାମରେ ନିୟୋଜିତ ଥିବା ଏକ ଜେସିବି ଏବଂ ଟ୍ରାକ୍ଟରେ ନିଆଁ ଲଗାଇ ଦେଇଥିଲେ।
ଗାଁରେ ଦେଶୀ ମଦ ଭାଟି ବନ୍ଦ, ସିଆର୍ପିଏଫ କ୍ୟାମ୍ପ ଉଠାଇବା, ମାଓବାଦୀ ନାମରେ ଦାଦା ବଟି ମାଗୁଥିବା ଲୋକଙ୍କୁ ଗିରଫ କରିବା ଆଦି ପୋଷ୍ଟରରେ ଉଲ୍ଲେଖ ରହିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ତଳେ ଉଲ୍ଲେଖ ରହିଛି।