ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଓ ବନ୍ଧୁକ ଜବତ ହୋଇଛି।
କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ମାଡ଼କାପଦର ପଞ୍ଚାୟତ ନୁନାଖାରି ଜଙ୍ଗଲରେ ମାଓବାଦୀଙ୍କ ବୈଠକ ଚାଲିଥିବା ସୂଚନା ପାଇ ଡିଭିଏଫ୍‌ ଓ ଏସ୍‌ଓଜିି ଯବାନ ମିଳିତ କୋମ୍ବିଂ ଅପରେଶନ କରିଥିଲେ। ଏହାର ସୂଚନା ପାଇ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା ଜବାବରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଗୁଳି ବିନିମୟବେଳେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ କେତେଜଣ ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ମୃତ ମାଓବାଦୀ ଓଡ଼ିଶା-ଆନ୍ଧ୍ର ବୋର୍ଡର ଜୋନାଲ କମିଟିର ହୋଇଥିବା ବେଳେ ତାଙ୍କ ପରିଚୟ ମିଳି ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ, ପିସ୍ତଲ, ଅଫୁଟା ଗୁଳି, ଓ୍ବାକିଟକି, ଚାର୍ଜର, ପିସ୍ତଲ ପାଉଚ୍‌, କ୍ଲେମର ବ୍ୟାଟେରି, କିଟ୍‌ ବ୍ୟାଗ୍‌, ଘଡ଼ି ସମେତ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଖବରଦାତା ସମ୍ମିଳନୀରେ ଡିଆଇଜିଙ୍କ ବ୍ୟତୀତ ମାଲକାନଗିରି ଏସ୍‌ପି ଋଷିକେଶ ଡି. ଖିଲାରି, ବିଏସ୍‌ଏଫ୍‌ ଡିଆଇଜି ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Share