ମଣ୍ଡି ଖୋଲିନି, ମିଲ୍‌କୁ ଯାଉଛି ଧାନ

ଭେଡ଼େନ,୧୨।୧୧(ସୁଦନ ମହାକୁର)ବରଗଡ଼ ଜିଲାରେ ଆସନ୍ତା ୨୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଉକ୍ତ ଦିନ ସମସ୍ତ ମଣ୍ଡି ଖୋଲାଯିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଅତାବିରା ଆର୍‌ଏମ୍‌ସି ଅନ୍ତର୍ଗତ ଭେଡ଼େନ ବ୍ଲକର ମଣ୍ଡିଗୁଡ଼ିକ ଖୋଲିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଣ୍ଡି ଖୋଲିବାକୁ ଆହୁରି ପ୍ରାୟ ୨ ସପ୍ତାହ ବାକି ରହିଛି। ବ୍ଲକର ଉଠାଜଳସେଚିତ ଜମିକୁ ବାଦ୍‌ ଦେଲେ କେନାଲ ପାଣି ଛଡ଼ାଯିବାରେ ବିଳମ୍ବ ଯୋଗୁ ଧାନ ଅମଳ ମଧ୍ୟ କଁା ଭାଁ ଦେଖିବାକୁ ମିଳୁଛି। ଅନେକ ମାଳ ଜମିରେ ସଅଳ ଅମଳକ୍ଷମ ଧାନ ପ୍ରାୟତଃ ଅମଳ ହୋଇ ସାରିଲାଣି। ଏପରିସ୍ଥଳେ ଭେଡ଼େନ ବ୍ଲକରୁ ପ୍ରତିଦିନ ଟ୍ରକ, ମିନିଟ୍ରକ ଓ ଟ୍ରାକ୍ଟର ଯୋଗେ ମିଲ୍‌ଗୁଡ଼ିକୁ ଧାନ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଧାନର ଅଭାବୀ ବିକ୍ରି ହେବା ଆଶଙ୍କା ରହିଛି। ବିଶେଷକରି ବ୍ଲକର ମହୁଲପାଲି, ସିଆଲଖଣ୍ଡହଥା, ଋଷୁଡ଼ା, ଦେଶଭଟଲି, ସୁନାଲରମ୍ଭା ଆଦି ପଞ୍ଚାୟତରେ ରହିଥିବା ଧାନ ବେପାରୀମାନେ ଏହି କାରବାର ଚଳାଇଛନ୍ତି। ପଡ଼ୋଶୀ ସୋନପୁର ଜିଲାର ସୀମାନ୍ତରେ ଥିବା ମିର୍ଲସମାନେ କମ୍‌ଦରରେ କିଣି ଗଚ୍ଛିତ ରଖୁଥିବା ଜଣାଯାଇଛି। ଅପରପକ୍ଷେ ବ୍ଲକର ଏହି ପଞ୍ଚାୟତଗୁଡ଼ିକରୁ ଯାଉଥିବା ଧାନ ନେବାରେ କୌଣସି ତନଖି ଫାଟକ ପଡୁନାହିଁ। ଫଳରେ ଗାଡ଼ି ଖର୍ଚ୍ଚ ମଧ୍ୟ କମ୍‌ ପଡୁଥିବାରୁ ମିର୍ଲସ ଏବଂ ବେପାରୀମାନଙ୍କୁ ବେଶ୍‌ ସୁହାଉଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ କିଛି ରାଇସ୍‌ ମିଲ୍‌ରେ ମାତ୍ରାଧିକ ଧାନ ଗଚ୍ଛିତ ଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରିଥିଲା। ମିଲର୍ସମାନେ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ମିଲ୍‌ଗୁଡ଼ିକୁ ସିଲ୍‌ କରିଦିଆଯାଇଥିଲା। ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ଏଥର ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଚାଲିବ ଏବଂ ଏଥିପାଇଁ ୬ଟି ଏନର୍ଫୋସ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବାହାରୁ ଆସୁଥିବା ଏବଂ ଜିଲା ବାହାରକୁ ଯାଉଥିବା ଧାନ ଉପରେ ନଜର ରଖିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ମଣ୍ଡି ଖୋଲିବା ପୂର୍ବରୁ ବାହାର ଜିଲାକୁ ଅବାଧରେ ଧାନ ଚାଲାଣ ହେଉଛି। ଏହି ସବୁ ଧାନରେ ମିଲ୍‌ ଭରିଗଲେ ନିଶ୍ଚିତ କଟନୀଛଟନୀର ଆଳ ଦେଖାଇ ଚାଷୀମାନଙ୍କୁ ହଇରାଣ ହେବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Share