ଚିତ୍ରକୋଣ୍ଡା,୨୯।୭(କ୍ଷୀରୋଦ ବେହେରା): ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କୁ ଶହୀଦର ଆଖ୍ୟାଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତିସ୍ତମ୍ଭ ନିର୍ମାଣକରି ସ୍ମୃତି ସଭାର ଆୟୋଜନ କରାଯାଏ। ମାଓବାଦୀମାନେ ବିଛିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏକାଠି କରି ମାଓବାଦୀ ସଭାର ଆୟୋଜନ କରନ୍ତି। ଗ୍ରାମବାସୀମାନଙ୍କୁ ମାଓବାଦୀ ସଙ୍ଗଠନରେ ସାମିଲ ପାଇଁ ଆହ୍ବାନ ଦିଅନ୍ତ। ବିଗତ ଦିନ ମାନଙ୍କରେ ମାଓବାଦୀମାନେ ଏହି ସପ୍ତାହରେ ବହୁତ ହିଂସାକାଣ୍ଡ ଘଟାଇ ଆସୁଥିବା ନଜିର ରହିଛି।
ହେଲେ ଚଳିତ ବର୍ଷ ମାଓବାଦୀଙ୍କ ଶହୀଦ ସପ୍ତାହ ଫିକା ପଡିଛି । ଚିତ୍ରକୋଣ୍ଡା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ କ୍ୟାମ୍ପ ପ୍ରତିଷ୍ଠା ହେବା ପରଠାରୁ ଅଞ୍ଚଳରେ ମାଓବାଦୀ ପଛ ଘୁଞ୍ଚା ମାରିଛନ୍ତି। ପୂର୍ବରୁ ମାଓବାଦୀଙ୍କ ଏହି ଶହୀଦ ସପ୍ତାହରେ ଲୋକେ ଭୟରେ ଦୋକାନ ବଜାର ଖୋଲୁ ନ ଥିଲେ । ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଧ ରହୁଥିଲା। ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ହେଉଥିଲା। କିନ୍ତୁ ଚଳିତ ବର୍ଷ ଦୋକାନ ବଜାର ଖୋଲା ରହିବା ସହିତ ବସ୍ ଚଳାଚଳି ସ୍ବଭାବିକ ରହିଛି । ଲୋକେ ନିର୍ଭରେ ନିଜର କାର୍ଯ୍ୟ କରୁଛନ୍ତି।