ମାଟ୍ରିକ ଫର୍ମ ପୂରଣ ଅବଧି ୨ଦିନ ବଢ଼ିଲା

ଭୁବନେଶ୍ୱର, ୧୧।୨(ବ୍ୟୁରୋ):ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏବେ ଫର୍ମ ପୂରଣ ପ୍ରକ୍ରିୟା ଜାରି ରହିଥିବାବେଳେ ଏହାର ଅବଧିକୁ ଦ୍ୱିତୀୟଥର ପାଇଁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ବୁଧବାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ମାଟ୍ରିକ), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ ସମୟସୀମାକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦିଆଯାଇଥିବାବେଳେ ଫେବୃୟାରୀ ୧୨ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିପାରିବେ। ପ୍ରଥମେ ଫର୍ମପୂରଣର ଶେଷ ତାରିଖ ଫେବୃୟାରୀ ୨ ଥିଲା। ପରେ ଏହି ଅବଧିକୁ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଶତପ୍ରତିଶତ ଫର୍ମ ପୂରଣ ହାସଲ ପାଇଁ ପୁଣି ବୃଦ୍ଧି କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବୁଧବାର ଫର୍ମପୂରଣର ଶେଷ ତାରିଖ ଥିଲା। ମଙ୍ଗଳବାର ୨୦୧୯-୨୦ ଶିକ୍ଷାବର୍ଷର ନବମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ କହିଥିଲେ, ଶେଷ ଦିନରେ ଯଦି ସମ୍ପୂର୍ଣ୍ଣ ଫର୍ମ ପୂରଣ ହୋଇ ନ ପାରିଲା, ତେବେ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆଲୋଚନା କରି ଆଉ ଦୁଇଦିନ ବୃଦ୍ଧି କରାଯିବାର ବ୍ୟବସ୍ଥା ହେବ।

Share