ଅପରାଜିତା ପବ୍ଲିସିଟି ରାଜନୀତି ନ କରନ୍ତୁ: ମେୟର

ଭୁବନେଶ୍ୱର,୩୦।୮(ବ୍ୟୁରୋ)”ଭୁବନେଶ୍ୱରରେ ଡମ୍ପିଂୟାର୍ଡ ସମସ୍ୟା ଭିତରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଛି। ରବିବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର ସମାଧାନ ପାଇଁ ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି। ତେବେ ଏହାର ପ୍ରତିକ୍ରିୟା ରଖିଛନ୍ତି ମେୟର। ଅପରାଜିତା ପବ୍ଲିସିଟି ପାଇଁ ରାଜନୀତି ନ କରନ୍ତୁ ବୋଲି ମେୟର କହିଛନ୍ତି। କାରଣ ତାଙ୍କ ସମୟରେ ଭୁଆଶୁଣୀ ଡମ୍ପିଂୟାର୍ଡ କାମ ଆରମ୍ଭ ହୋଇଥିଲା। ସେ ନିଜେ ସମସ୍ୟାକୁ ପାଖରୁ ଜାଣିଛନ୍ତି। ୨୦୦୮ରେ ଭୁବନେଶ୍ୱରରେ ଷ୍ଟ୍ରାଇକ୍‌ ହୋଇଥିଲା। ୧୦ଦିନ ପାଇଁ ଭୁବନେଶ୍ୱର ସ୍ଥାଣୁ ପାଲଟି ଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏପରି କି ସହରରେ ଝାଡ଼ୁ ମଧ୍ୟ ବୁଲି ନ ଥିଲା। ମୁଁ ସେତେବେଳେ ମିଡିଆରେ କାମ କରୁଥିଲି। ଆମ ଦାୟିତ୍ୱ ଆମେ କରିବୁ, ତାଙ୍କ ଦାୟିତ୍ୱ ସେ କରନ୍ତୁ। ଯଦି ଆମକୁ ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଏନ୍‌ଏଚ୍‌ ପାଇଁ ଭୁବନେଶ୍ୱରରେ ବହୁ ଅସୁବିଧା ହେଉଛି। ସହରରେ ଥିବା ଅଣ୍ଡରପାସ୍‌ରେ ବର୍ଷା ନ ହେଲେ ବି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି। ସେଗୁଡିକର ଦାୟିତ୍ୱ ନିଅନ୍ତୁ ବୋଲି ମେୟର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଅପରାଜିତା ଦେଇଥିବା ଚିଠିରେ ୩/୪ ଦିନ ମଧ୍ୟରେ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ନଚେତ ସେପ୍ଟେମ୍ବର ୨ରେ ବିଏମ୍‌ସି ଅଫିସ୍‌ରେ ମେୟରଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Share