ମେୟରଙ୍କୁ ଘେରିଲେ ଓ୍ବାର୍ଡବାସିନ୍ଦା

କଟକ ଅଫିସ,୮।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୪୬ ନମ୍ବର ଓ୍ବାର୍ଡ ମଙ୍ଗଳବାର ପରିଦର୍ଶନବେଳେ ମେୟର ସୁବାସ ସିଂଙ୍କୁ ସ୍ଥାନୀୟ ଲୋକେ ଘେରାଉ କରିଥିଲେ। ଏହି ଓ୍ବାର୍ଡରେ ଠିକ୍‌ ଭାବେ ଡ୍ରେନ୍‌ ସଫେଇ ହେଉ ନ ଥିବା ସେମାନେ ମେୟରଙ୍କୁ ଅବଗତ କରିଥିଲେ। ଏହି ସମୟରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ମେୟର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସିଏମ୍‌ସିର ୪୬ ଓ ୪୮ ନମ୍ବର ଓ୍ବାର୍ଡରେ ଠିକ୍‌ ଭାବେ ଡ୍ରେନ୍‌ ସଫେଇ ହେଉ ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ମେୟର ସିଂ ଉକ୍ତ ଓ୍ବାର୍ଡ ପରିଦର୍ଶନ କରିଥିଲେ। ୪୬ ନମ୍ବର ୱାର୍ଡର ଶିଖରପୁର ଓ କୋରପୋଖରୀ ଅଞ୍ଚଳରେ ଡ୍ରେନ୍‌ରୁ ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଛି। ଟେଣ୍ଡର ମାଧ୍ୟମରେ ଏହି କାର୍ଯ୍ୟ କରାଯାଉଛି। ହେଲେ ଠିକ୍‌ ଭାବେ ପଙ୍କୋଦ୍ଧାର କରାଯାଉ ନ ଥିବା ନେଇ ସ୍ଥାନୀୟ ବାସିନ୍ଦା ସୋମବାର ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ। ଏ ସମ୍ପର୍କରେ ମେୟର ଜାଣିବା ପରେ ମଙ୍ଗଳବାର ଉକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଓ ସ୍ଥାନୀୟ କର୍ପୋରେଟର ପ୍ରଳୟା ବେଉରା ମଧ୍ୟ ଉପସ୍ଥିତ ଥିଲେ। ଆଗକୁ ବର୍ଷାଋତୁ ଆସୁଥିବାବେଳେ ଡ୍ରେନ ସଫେଇ ଠିକ୍‌ ଭାବେ କରା ନ ଗଲେ ଲୋକମାନେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସେମାନେ କହିଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମେୟର ସିଂ କହିଛନ୍ତି।