ପୌରାଧ୍ୟକ୍ଷ ଆଶାୟୀ ତାଲିକା ବଢୁଛି

ପାରାଦୀପ,୩ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବୁଧବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ହେଲେ ପାରାଦୀପ ପୌର ପରିଷଦରେ କେହି ମନୋନୟନ ପତ୍ର ଦାଖଲ କରିନାହାନ୍ତି। କେବଳ ୯ଟି ଫର୍ମ କାଉନସିଲର ଆଶାୟୀ କିଣି ଥିବା ଜଣାପଡିଛି। ଅପରପକ୍ଷେ ପ୍ରମୁଖ ବିଜେଡି, କଂଗ୍ରେସ, ଭାଜପା ଦଳରେ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଅସ୍ପଷ୍ଟ ରହିଛି। ସମୟ ଯେତିକି ପାଖେଇ ଆସୁଛି ୩ ଦଳରେ ଆଶାୟୀଙ୍କ ତାଲିକା ବଢି ଚାଲିଛି। ଯାହା ଦଳ ଓ ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ କ୍ଷେତ୍ରରେ ଅଧିକ ବିବାଦ ଶାସକ ବିଜେଡିରେ ଦେଖିବାକୁ ମିଳୁଛି। ନୂଆବଜାରସ୍ଥ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ଆଶାୟୀମାନେ ଶତାଧିକ ସମର୍ଥକଙ୍କ ଗହଣରେ ଭୀଡ ଜମାଇଛନ୍ତି। ବିଜେଡିର ପ୍ରାର୍ଥୀ ଚୟନ କାମରେ ନଗର ସଭାପତି ବସନ୍ତ ବିଶ୍ୱାଳ ଓ ଉପସଭାପତି କୁମର ନାୟକ ଲାଗିଛନ୍ତି । ଏ ସମ୍ପର୍କରେ ବିଶ୍ୱାଳ କୁହନ୍ତି, ଆମେ ପ୍ରତ୍ୟେକ ୱାର୍ଡରୁ ୩ ଜଣକ ନାମ ଜଗତ୍‌ସିଂହପୁର ଜିଲା ସଭାପତିଙ୍କ ପାଖକୁ ପଠାଇବୁ। ପରେ ଭୁବନେଶ୍ୱର ନାମ ଯିବ। ସେଠାରେ ଚୂଡାନ୍ତ ନାମ ଘୋଷଣା କରାଯିବ। ଦଳର ମନୋନୟନ ପତ୍ର ଦାଖଲ କାମ ୫, ୬ ଓ ୭ ରେ ହେବ। ସେହିପରି କଂଗ୍ରେସ ନେତା ଅରିନ୍ଦମ ସର୍ଖେଲଙ୍କୁ ପଚାରିବାରେ ଆମର ରଣନୀତି ସମ୍ପର୍କରେ ଆସନ୍ତା ୪ ତାରିଖରେ ଜଣାଇବୁ ବୋଲି ସେ କହିଛନ୍ତି। ଭାଜପା ନେତା ସମ୍ପଦ ସ୍ବାଇଁ କୁହନ୍ତି, ଆମର ମଧ୍ୟ ପ୍ରତ୍ୟେକ ୱାର୍ଡରୁ ଏକାଧିକ ଆଶାୟୀ ନାମ ଆସିଛି। ତାକୁ ଦଳ ତର୍ଜମା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବ। କଂଗ୍ରେସ, ଭାଜପା ଓ ବିଜେଡିର ରଣନୀତି ସ୍ଥାନ ହେଉଛି ନୂଆବଜାର। ୧୦୦ ମିଟର ବ୍ୟବଧାନରେ ଏହି ୩ ଦଳର ଟ୍ରଷ୍ଟ ସଂଘ ରହିଛି। ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ପୌରାଧ୍ୟକ୍ଷ ଚୟନ। ପ୍ରଥମ କରି ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ସେଥିପାଇଁ ଦଳ ଓ ନେତା ଦ୍ୱନ୍ଦ୍ୱରେ ପଡିଛନ୍ତି। ଏହି ପଦବୀ ପାଇଁ ବିଜେଡି ବିଧାୟକ ସମ୍ବିତ ରାଉତରାୟ ୩ ଜଣଙ୍କ ନାମ ସୁପାରିଶ କରିଥିବା ଜଣାପଡିଛି। ସେମାନେ ହେଲେ ଚିନ୍ମୟ ପରିଡା, ସବିତା ମହାପାତ୍ର ଓ ବସନ୍ତ ବିଶ୍ୱାଳ। ଏମାନଙ୍କ ମଧ୍ୟରେ ବସନ୍ତଙ୍କ ନାମ ଓ ଲୋକପ୍ରିୟତା ସମସ୍ତଙ୍କଠାରୁ ଆଗରେ ରହିଛି। କାରଣ ବିଶ୍ୱାଳ ପୂର୍ବରୁ ପାରାଦୀପ ପୌରାଧ୍ୟକ୍ଷ ଥିଲେ। ଭାଜପାର କୌଣସି ନାମ ଏ ପର୍ଯ୍ୟନ୍ତ ଆସିନାହିଁ। କଂଗ୍ରେସ ମଧ୍ୟ ବହୁ ପଛରେ ରହିଛି। ଚଳିତ ପୌର ନିର୍ବାଚନରେ ଦଳୀୟ ଅସନ୍ତୁଷ୍ଟ ବଢୁଥିବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରମୁଖ ନେତା ଦଳ ବ୍ୟତୀତ ସ୍ବାଧୀନ ପ୍ରାର୍ଥୀ ଦେବେ ବୋଲି ଆଲୋଚନା ହେଉଛି।

Share