ଆନନ୍ଦପୁର,୧୮ା୨(ସ୍ବ.ପ୍ର.): ଆନନ୍ଦପୁର ଜଳସମ୍ପଦ ବିଭାଗ ଅଧୀନରେ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲା ପ୍ରଶାସନ ସ୍ତରରେ ସୂଚନା ପ୍ରଦାନ କରାଯିବା ସହିତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାକ୍ଷାତକାର ନେବା ପାଇଁ ଶନିବାର ସକାଳେ ଆନନ୍ଦପୁର ବନ ବିଭାଗର ଶାଳପଡ଼ାସ୍ଥିତ ଡାକବଙ୍ଗଳାଠାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଏହିକ୍ରମରେ ଆନନ୍ଦପୁରର ବହୁ ଗଣମାଧ୍ୟମ ପ୍ରତିନିଧି ବନ ବିଭାଗର ଶାଳପଡ଼ାସ୍ଥିତ ଡାକବଙ୍ଗଳାଠାରେ ଉପସ୍ଥିତ ମଧ୍ୟ ରହିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟ ଶାସନ ସଚିବ ଆନନ୍ଦପୁରରେ ପହଞ୍ଚିବା ପରେ ଡାକବଙ୍ଗଳାରେ ଜିଲାପାଳ, ଜଳସମ୍ପଦ ବିଭାଗ ଅଧିକାରୀ, ଆନନ୍ଦପୁର ଉପଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ଡାକବଙ୍ଗଳାରେ ପ୍ରବେଶ ପରେ ପ୍ରଶାସନିକ ସ୍ତରରେ ଏହାର ମୁଖ୍ୟ ଦ୍ୱାରକୁ ବନ୍ଦ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ସାକ୍ଷାତକାର ପାଇଁ ଡକାଯିବ ବୋଲି ମଧ୍ୟ କୁହାଯାଇଥିଲା। ଫଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକବଙ୍ଗଳା ବାହାରେ ଖରାରେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡ଼ିଥିଲା। ନା ସେମାନଙ୍କ ବସିବା ପାଇଁ ଚଉକି ଖଣ୍ଡେ ଥିଲା ନା ମାଗିଲେ ବି ପାଣି ଟୋପାଏ ମିଳୁଥିଲା। ଏଭଳି ଘଟଣାକୁ ନେଇ ଦୀର୍ଘ ସମୟ ଧରି ବାହାରେ ଖରାରେ ଛିଡ଼ା ହୋଇଥିବା ୨୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ ସହିତ ଜିଲା ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ। ଶେଷରେ ଉପସ୍ଥିତ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିଷ୍ପତ୍ତି କ୍ରମେ ସମୂହ ଡାକବଙ୍ଗଳା ପରିସରରୁ ପଳାଇଆସିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଡାକବଙ୍ଗଳାଠାରେ କେନ୍ଦୁଝର ଜିଲାପାଳ ଖୋଦ୍ ଉପସ୍ଥିତ ରହିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଏଭଳି ବ୍ୟବହାର ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।