Categories: ଫୁରସତ

୧୧୪ ବର୍ଷ ପରେ ଖୋଲିଲା ମେଡିକାଲ ଷ୍ଟୋର

ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍‌ ୱାଇଟ୍‌ ନାମକ ଜଣେ ବ୍ୟକ୍ତି ଚଲାଉଥିଲେ। ତାଙ୍କ ମୃତ୍ୟୁ ପରେ ଏହି ଷ୍ଟୋର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏବେ ସେହି ଦୋକାନର ତାଲା ଖୋଲାଯାଇଛି। ରିପୋର୍ଟ ମୁତାବକ, ଏହି ମେଡିକାଲ ଷ୍ଟୋରକୁ ୮୦ ବର୍ଷ ପୂର୍ବରୁ ସନ୍ଧାନ କରାଯାଇଥିଲା। ୱାଇଟ୍‌ଙ୍କ ନାତି ଏହି ଷ୍ଟୋର ବାବଦରେ ୧୯୮୭ରେ ଲୋକଙ୍କୁ କହିଥିଲେ। ଏବେ ଏହାକୁ ଲୋକେ ଦେଖିବା ପାଇଁ ଖୋଲାଯାଇଛି। ଏହି ସ୍ଥାନରେ ତରଳ ଔଷଧରେ ଭର୍ତ୍ତି ଜାର୍‌, ମାପଚୁପ କରାଯାଉଥିବା ସ୍କେଲ, ପୁରୁଣା ଟାଇପ୍‌ରାଇଟର ଭଳି ଅନେକ ଜିନିଷ ପଡ଼ି ରହିଛି। ଯେତେବେଳେ ୱାଇଟ୍‌ଙ୍କ ଘର ବିକ୍ରି ହେଉଥିଲା, ସେତେବେଳେ ଏହି ଅଜ୍ଞାତ ଷ୍ଟୋର ବାବଦରେ ଜଣାପଡ଼ିଲା। ୱାଇଟ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଏହି ଷ୍ଟୋରକୁ ବନ୍ଦ କରିଦେଇଥିଲେ। ଏକ ସଂସ୍ଥାକୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ଏହି ଷ୍ଟୋରର ବୁଝାଶୁଝା କଲା। ଜଣେ ପ୍ରବକ୍ତା କହିଛନ୍ତି, ଷ୍ଟୋରରୁ ମିଳିଥିବା ସମସ୍ତ ଜିନିଷର ଯାଞ୍ଚ ପରେ ୱାଇଟ୍‌ ଜଣେ କେମିଷ୍ଟ ଥିବା ଜଣାପଡ଼ିଛି। ସେ ଗ୍ରୋସରି ଜିନିଷ ରଖିଥିଲେ। ଏଥିସହ ଚା’, ତମାଖୁ, ମଦ ଭଳି ଜିନିଷ ମଧ୍ୟ ରଖିଥିଲେ। ହେଲେ ଏବେ ଏହି ଜିନିଷକୁ ବିପଦପୂର୍ଣ୍ଣ ବୋଲି ଅନୁମାନ କରାଯାଇଛି। କାରଣ ବନ୍ଦ ବୋତଲରେ ଥିବା କେମିକାଲ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ କ୍ଷତି କରିପାରେ। ଷ୍ଟୋରରୁ କିଛି ଜଡ଼ିବୁଟି ମଧ୍ୟ ମିଳିଛି। ଏହି ଷ୍ଟୋର ଖୋଲିବା ପରେ ଅନେକାଂଶରେ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି।

Share