ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍‌: ହାଇକୋର୍ଟ

କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍‌ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍‌ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ଏହି ଟିମ୍‌ ହୃଦ୍‌ବୋଧ କରିବ ତେବେ ଅଦାଲତଙ୍କ ଆଦେଶକୁ ଅପେକ୍ଷା ନ କରି ଗର୍ଭପାତ କରାଇପାରିବ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ, ୧୪ବର୍ଷୀୟ ଝିଅର ଗତ ମାର୍ଚ୍ଚ ୧୬ରେ ଅଲଟ୍ରାସାଉଣ୍ଡ କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ଗର୍ଭ ନଷ୍ଟ ପାଇଁ ପୁରୀ ହସ୍ପିଟାଲକୁ ଯାଇଥିଲେ। ନାବାଳିକା ୨୧ ସପ୍ତାହର ଗର୍ଭବତୀ ଥିବାରୁ ପୁରୀ ହସ୍ପିଟାଲ ପକ୍ଷରୁ ମାର୍ଚ୍ଚ ୨୬ରେ ଏସ୍‌ସିବିକୁ ପଠାଇ ଦିଆଯାଇଥିଲା। ନାବାଳିକା ଗର୍ଭଧାରଣ କରିବା ୨୦ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହୋଇଯାଇଥିଲା। ତେଣୁ ଗର୍ଭପାତ ଲାଗି ଅଦାଲତଙ୍କ ଅନୁମତି ଆବଶ୍ୟକ ଥିବାରୁ ଏସ୍‌ସିବି ଅଧୀକ୍ଷକଙ୍କ ପକ୍ଷରୁ ଡିଏମ୍‌ଇଟିଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୨ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Share