କୋକସରା,୧୧।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡାରେ ଗତ ଏକ ସପ୍ତାହ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଅନେକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଥିବା ବେଳେ ପୁଣି ଗୁରୁବାରଠାରୁ ଗାଁର ୩ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଗୁରୁବାର ରାତିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସ୍ଥିତି ଅନୁଧ୍ୟାନ କରି ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ପରିମଳ ବିଭାଗକୁ ଶୀଘ୍ର ପରିସ୍ଥିତି ନିୟନ୍ତ୍ରଣ କରିବାକୁ କହିବା ପରେ ଶୁକ୍ରବାର ଗାଁରେ କୋକସରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼.ତତ୍ତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ସହ ଏଏନଏମ, ଆଶା କର୍ମୀ ପହଞ୍ଚତ୍ ଥିଲେ। ଘର ଘର ବୁଲି ଆକ୍ରାନ୍ତ ରୋଗୀଙ୍କୁ ଔଷଧ ବଣ୍ଟନ ସହ ସଚେତନ କରିଛନ୍ତି। ଗ୍ରାମ୍ୟ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ ଓ କର୍ମଚାରୀ ଗାଁରେ ଥିବା ନଳକୂପର ପାଣି ନମୁନା ସଂଗ୍ରହ କରିବା ସହ ବିଶୋଧନ କରିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ପାନୀୟ ଜଳ ଦୂଷିତ କାରଣରୁ ଝାଡ଼ାବାନ୍ତି ସଂକ୍ରମିତ ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ ଡ଼. ଦାସ ସୂଚନା ଦେଇଛନ୍ତି। ଗାଁରେ ଆକ୍ରାନ୍ତ ରୋଗୀଙ୍କସ୍ଥିତି ଉପରେ ଡ଼.ସୁଶୀଲ କୁମାର ସାହୁ ଓ ଲଡୁଗାଁ ମେଡିକାଲ ଟିମକୁ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଶୁକ୍ରବାର ମେଡିକାଲ ଟିମରେ ବିପିଏମ ମାନସ ନୟନ ସ୍ବାଇଁ, ସ୍ବାସ୍ଥ୍ୟକର୍ମୀ କେତନ ପାତ୍ର, ମହିଳା ସ୍ବାସ୍ଥ୍ୟ ସେବିକା ପୁଷ୍ପଳତା ଦୋରା ଙ୍କସମେତ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାମାଜିକ କର୍ମୀ ସଞ୍ଜୟ ସିଂଙ୍ଘଲ ସ୍ଥିତି ତଦାରଖ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି।