ବୈଠକ ବର୍ଜନ କଲେ ମୃତ୍ୟୁଦଣ୍ଡ

ମାଲକାନଗିରି,୧୬।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲାଲ୍‌ବାହିନୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ସେମାନେ ବହୁ ସ୍ଥାନରେ ବିଭିନ୍ନ ସମୟରେ ବୈଠକମାନ କରି ନିଜ ଶକ୍ତି ବଢ଼ାଉଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଜୋର ଜବରଦସ୍ତ ସାମିଲ କରୁଛନ୍ତି। କେହି ଯଦି ସେମାନଙ୍କ ସହ ସାମିଲ ନ ହେଉଛନ୍ତି ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଲାଲ୍‌ବାହିନୀ ଧମକ ଦେଉଛି। ଏପରି ଏକ ଘଟଣା ଏବେ ନଜରକୁ ଆସିଛି। ମାଓବାଦୀମାନେ ସ୍ବାଭିମାନ ଅଞ୍ଚଳର ଅଣ୍ଡ୍ରାପାଲିରେ ବିଭିନ୍ନ ସମୟରେ କରୁଥିବା ବୈଠକରେ ଗ୍ରାମବାସୀ ଯୋଗଦେଉ ନ ଥିବାରୁ ଏବେ ମାଓବାଦୀମାନେ ଗ୍ରାମବାସୀଙ୍କୁ ମୃତ୍ୟୁଦଣ୍ଡର ଧମକ ଦେଇ ଚିଠି ଲେଖିଛନ୍ତି। ରବିବାର ଅଣ୍ଡାପାଲି ଗ୍ରାମର ତ୍ରିନାଥ, ରାଜୁ ହନ୍ତାଳ, ସର୍ବ, ରାଜୁ ଖରା, ଆନ୍ଧ, ଡମୁରୁ ଲାଡେ, ଜଗେଶ୍ୱର, ମନ ହନ୍ତାଳ, ଶାମ ହନ୍ତାଳ ଏବଂ ପିତୁଙ୍କ ନିକଟକୁ ଏହି ଧମକପୂର୍ଣ୍ଣ ଚିଠି ଆସିଛି। ଏମାନେ ହଁି ମାଓବାଦୀଙ୍କ ବିପକ୍ଷରେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ବୈଠକକୁ ଯିବା ଲାଗି ବାରଣ କରୁଥିବା ମାଓବାଦୀମାନେ ସନ୍ଦେହ କରୁଛନ୍ତି। ଫଳରେ ଆଉ କିଛି ଉପାୟ ନ ପାଇ ମାଓବାଦୀମାନେ ମୃତ୍ୟୁଦଣ୍ଡର ଧମକ ଦେଇ ଗ୍ରାମବାସୀଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଉପରୋକ୍ତ ବ୍ୟକ୍ତିମାନଙ୍କ ନିକଟକୁ ଏହି ଚିଠି ମାଓବାଦୀ ନେତା ଅନିଲ୍‌ ପଠାଇଥିବା ଜଣାପଡିଛି।