୧୧ରେ ହାଇକୋର୍ଟରେ ବସିବ ବୈଠକ

କଟକ ୨୯ା୮(କାର୍ତ୍ତିକ ସାହୁ): ଆସନ୍ତା ସେପ୍ଟେମ୍ବର ୧୧ରେ ହାଇକୋର୍ଟରେ ହାତୀ ସୁରକ୍ଷା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି କି କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କ’ଣ ସବୁ ଯୋଜନା କାର୍ଯ୍ୟକାରୀ ହୋଇଛି ସେ ସଂକ୍ରାନ୍ତରେ ଆଲୋଚନା କରାଯିବ। ପ୍ରଶ୍ନ ଉତ୍ତର ମାଧ୍ୟମରେ ସମାଧାନ ବାଟ ବାହାର କରାଯିବ। ହାତୀଙ୍କ ସୁରକ୍ଷା ନିମନ୍ତେ ଗଠିତ ହୋଇଥିବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌)ର ସଦସ୍ୟ, ବିଚାରପତି ଓ ଆଇନଜୀବୀ ଉପସ୍ଥିତ ରହିବେ। ହାତୀଙ୍କ ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାତୀଙ୍କ ସୁରକ୍ଷା ନିମନ୍ତେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ଆବେଦନକାରୀ ଗୀତା ରାଉତ ଓ ଅନ୍ୟମାନେ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଅଦାଲତ ମାମଲାର ଏକତ୍ର ଶୁଣାଣି କରିବା ସହ ହାତୀ ସୁରକ୍ଷା ନେଇ ପ୍ରସ୍ତୁତ କରାଯାଇଥିବା ‘ଆକ୍ସନ ପ୍ଲାନ’ ଆଧାରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ଜଣାଇବା ଲାଗି ଜଏଣ୍ଟ ଟାସ୍କ ଫୋର୍ସ କମିଟିକୁ ନିର୍ଦ୍ଦେଶ ଦେଇଥିଲେ।