ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ

ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀରୁ ପାଣି ଉତ୍ତୋଳନ ପରେ ତାକୁ ବିଶୋଧନ କରାଯାଇ ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଲାଗି ରାଜ୍ୟସରକାରଙ୍କୁ ପ୍ରେରଣ କରାଯାଇଥିଲା। ଏନେଇ ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରସ୍ତୁତ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଅନୁମୋଦନ କରାଯାଇଥିବା ଭୋଗରାଇ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅନନ୍ତ ଦାସ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭୋଗରାଇ ଅଞ୍ଚଳରେ ଥିବା କୋଷ୍ଟ କେନାଲ ଦକ୍ଷିଣପାର୍ଶ୍ୱରେ ଥିବା ୧୯ଟି ଅନଳିଆ, ବାଜିତପୁର, ସାହାବାଜିପୁର, ବାରବାଟିଆ, ଦେଉଳା, ଜି ତେଘରି, ଗୋପୀନାଥପୁର, ଗୁନେଇବସାଣ, ହୁଗୁଳି, ଜଗନ୍ନାଥପୁର, କେଏନ୍‌ପାଟନା, କାନ୍ଥିଭଉଁରୀ, ମନ୍ଦାରସାହି, ଏନ୍‌ଏମ୍‌ପଡ଼ିଆ, ନିମାତପୁର, ପସାରବିନ୍ଧା, ଶଙ୍ଖାରି, ଶ୍ରଦ୍ଧାପୁର, ଟି ହାଜିରା ପଞ୍ଚାୟତରେ ଥିବା ୧୨୩ଟି ଗ୍ରାମର ୧ଲକ୍ଷ ୨୪ହଜାର ୩୧୨ଜଣ ଲୋକ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ଏହି ପ୍ରକଳ୍ପ ଲାଗି ୧୫୮କୋଟି ଟଙ୍କାର ଅଟ୍ଟକଳ ରଖାଯାଇଛି। ପ୍ରକଳ୍ପ ଅନୁମୋଦନ ପରେ ଟେଣ୍ଡର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ୨ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଖବରଦାତା ସମ୍ମିଳନୀରେ ପୂର୍ବତନ ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ରାଉତ, ବିଜେଡି ଏସ୍‌ସି ସେଲ୍‌ ଜିଲାସଭାପତି ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।