ବାରିପଦା,୧୭ା୧୨ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେବାରୁ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତର ଲହର ବୃଦ୍ଧି ପାଉଥିବାରୁ ହାଡ଼ଭଙ୍ଗା ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତକଷ୍ଟ ଦୂର କରିବା ପାଇଁ ଲୋକେ ନିଆଁ ଜାଳି ବସି ରହୁଛନ୍ତି। ଶୀତର ପ୍ରକୋପରେ ଶିମିଳିପାଳ ଅଭୟାରଣ୍ୟରେ ପାରଦ ସର୍ବନିମ୍ନ ୧ ଡିଗ୍ରୀକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଅଭୟାରଣ୍ୟରେ ତୁହିନର ଆସ୍ତରଣ(ତୁଷାରପାତ) ପଡ଼ିଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ଜଣାଇଛନ୍ତି। ଜିଲାର ୨୬ ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରେକର୍ଡ କରାଯାଇଛି। ସୋମବାର ସକାଳ ୬ଟାରେ ଅଭୟାରଣ୍ୟ ଉତ୍ତର ଡିଭିଜନର ଉପରବାର୍ହାକାମୁଡ଼ା ରେଞ୍ଜରେ ସର୍ବନିମ୍ନ ୧ଡିଗ୍ରୀ ତାପମାତ୍ରା ଥିବା ବେଳେ ଚହଲା ରେଞ୍ଜରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରହିଥିଲା। ନଅଁଣା ରେଞ୍ଜରେ ୪ ଡିଗ୍ରୀ, ବରେହିପାଣି ରେଞ୍ଜରେ ୫ ଡିଗ୍ରୀ ଓ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରହିଛି।