ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌ ଇଣ୍ଡିଆ’ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିହାରରୁ କେରଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ପୂରଣ କରିଛନ୍ତି।

ସେ ପ୍ରାୟ ୩୩୦୬ କିଲୋମିଟର ଦୂର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ୨୮ ଦିନରେ ପୂରା କରି ଇତିହାସ ରଚିଛନ୍ତି। ଅପର୍ଣ୍ଣାଙ୍କ ସହ ଏହି ଯାତ୍ରାରେ ଉତ୍ପଳ କାନ୍ତ ମଧ୍ୟ ସାମିଲ ଥିଲେ। ତାଙ୍କର ଏହି ସଫଳତାରେ ବିହାରବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି। ରେଲ୍‌ଓ୍ବେ ଷ୍ଟେଶନରେ ଅପର୍ଣ୍ଣା ଏବଂ ଉତ୍ପଳ କୁମାର ପହଞ୍ଚିବା ପରେ ଲୋକେ ତାଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ ଜଣାଇଛନ୍ତି। ୧୪ ଜୁଲାଇରେ ସେ ବିହାରର ମେଘି ନଗମା ଗାଁରୁ ଯାତ୍ରା ଆରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରବଣ କୁମାର ଏହି ଦୁଇ ଜଣଙ୍କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ୨୮ ଦିନ ପର୍ଯ୍ୟନ୍ତ ସେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କେରଳ ପର୍ଯ୍ୟନ୍ତ ପ୍ରାୟ ୩୩୦୬ କିଲୋମିଟରର ଯାତ୍ରା କରି ଦୁଇଜଣ ସଫଳତା ହାସଲ କରି ଫେରିଛନ୍ତି। ଅପର୍ଣ୍ଣା କିଛି ବର୍ଷ ପୂର୍ବେ ପର୍ବତାରୋହଣ ମଧ୍ୟ କରିଥିଲେ।

୨୦୧୧ରୁ ଖେଳରେ ଅପର୍ଣ୍ଣା ବେଶ୍‌ ନାଁ କମାଇଛନ୍ତି। ୬୦ରୁ ଅଧିକ ପଦକ ସେ ହାସଲ କରିଛନ୍ତି। ସେ କରାଟେ, ଖୋ-ଖୋ, ବକ୍ସିଂ, ଆଥେଲଟିକ୍ସ ଏବଂ ପର୍ବାତାରୋହଣରେ କିଛି ପଦକ ଜିତିଛନ୍ତି।

Share