ଭୁବନେଶ୍ୱର, ୧୨।୧୧(ବ୍ୟୁରୋ)- ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆଜନିତ ପୂର୍ବାନୁମାନ କରାଯିବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପାଣିପାଗର ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପାଣିପାଗ ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶ୍ଳେଷଣରୁ ଜଣାପଡିଛି ଯେ, ମ୍ୟାଲେରିଆ ବ୍ୟାପିବା ତାପମାତ୍ରା ଉପରେ ନିର୍ଭର କରିଥାଏ। ଗୋଟିଏ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅନୁସାରେ ସଂକ୍ରମଣ ବଢ଼ିଥାଏ ବା କମିଥାଏ। ମ୍ୟାଲେରିଆ ପାଇଁ କେଉଁ ତାପମାତ୍ରା ଅଧିକ ଅନୁକୂଳ ହୋଇଥାଏ, ତାହା ଜଣାପଡ଼ିଲେ ହିଁ ଏଥିପ୍ରତି ସତର୍କ ହୋଇପରିବା। ଏଥିସହ ମ୍ୟାଲେରିଆ କେବେ ହେବାର ଅଛି ବା ମଶାଙ୍କ ସଂଖ୍ୟା କେବେ ବଢ଼ିବ, ତା’ର ପୂର୍ବାନୁମାନ କରିହେବ ବୋଲି ସେ କହିଛନ୍ତି।