ମହାବଳ ବାଘ ଠାବ

ପାରଳାଖେମୁଣ୍ଡି, ୨୦ା୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ମହାବଳ ବାଘ ଠାବ କରାଯାଇଛି। ଗତ ୧୮ ତାରିଖ ଦିନ ଗୋଟିଏ ଗାଈକୁ ଘୋଷାରି ନେଇ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବନ ବିଭାଗର କର୍ମଚାରୀମାନେ ସନ୍ତୋଷପୁର ଓ ଆଖପାଖ ଅଞ୍ଚଳରେ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖିବା ସହ ପାଦଚିହ୍ନର ନମୁନା ସଂଗ୍ରହ କରିଥିଲେ। ଶୁକ୍ରବାର କ୍ୟାମେରାରେ ଗୋଟିଏ ମହାବଳ ବାଘ ଥିବା ଜାଣିବାକୁ ପାଇଛି ବନ ବିଭାଗ। ଏହାପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସନ୍ତୋଷପୁର ଓ ଆଖପାଖ ଗାଁଗୁଡିକରେ ସା ୬ଟା ପରେ କେହି ବାହାରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ପାଇଁ ବନ ବିଭାଗ ଗାଁ ଲୋକଙ୍କୁ ତାଗିଦ କରିଛି।

Share