ସେନାକୁ ଆହୁରି ଆଧୁନିକୀକରଣ କରିବାକୁ ପଡ଼ିବ

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ସୀମା ଉପରେ ଚାଇନା ଓ ପାକିସ୍ତାନ ସହ ଲଢ଼ିବାକୁ ହେଲେ ଆମକୁ ଆହୁରି ପ୍ରସ୍ତୁତ ହେବାକୁ ପଡିବ। ସେନାକୁ ଆଧୁନିକୀକରଣ କରିବା ସହ କାରିଗରି କ୍ଷେତ୍ରରେ ଉନ୍ନତି ଆଣିବାକୁ ହେବ। ଭାରତୀୟ ସେନାର ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ୍‌ ଚଣ୍ଡିପ୍ରସାଦ ମହାନ୍ତି ବୁଧବାର ସୈନିକ ସ୍କୁଲ ପରିଦର୍ଶନ ଅବସରରେ ଗଣମାଧ୍ୟମକୁ ଏହା କହିଛନ୍ତି।
ସେ କହିଲେ, ଦିଲ୍ଲୀ ଯିବା ପରେ ଓଡ଼ିଶା ପାଇଁ ଯାହା ମୋ ଦ୍ୱାରା ହୋଇପାରିବ ସେଇଟା ମୁଁ ପାରୁପାର୍ଯ୍ୟନ୍ତ ଚେଷ୍ଟା କରିବି। ଯଦି ଓଡ଼ିଶା ପାଇଁ କିଛି କରିପାରେ, ତାହା ମୋର ସୌଭାଗ୍ୟ ହେବ ବୋଲି କହିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବହୁତ ଚ୍ୟାଲେଞ୍ଜ ରହିବ। ତେବେ ଭାରତ-ଚାଇନା ବିବାଦକୁ ନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଚାଇନା ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେଥର ଚିନ୍ତା କରିବ। ଭାରତ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଓ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା। ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ପଡ଼ୋଶୀ ରାଷ୍ଟ୍ର ଚାଇନା ନିଜ ସେନାକୁ ଆଧୁନିକୀକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନିକୀକରଣ କରିବାରେ ସହଯୋଗ କରୁଛି। କିନ୍ତୁ ପଡ଼ୋଶୀ ରାଷ୍ଟ୍ରଠାରୁ ଭାରତୀୟ ସେନା ଅଧିକ ଆଧୁନିକ। ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ୍‌ ଶକ୍ତିଶାଳୀ। ଏହାଛଡ଼ା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି ଚଣ୍ଡି ପ୍ରସାଦ କହିଛନ୍ତି। ସେହିପରି ଅଧିକ ମାତ୍ରାରେ ଓଡ଼ିଆ ଯୁବପିଢ଼ି ସେନାରେ ସାମିଲ ହେବାକୁ ସେ ଆହ୍ବାନ ଦେବା ସହ ଓଡ଼ିଶାର ପ୍ରତି ଗାଁରୁ ଜଣେ ସେନାରେ ଭର୍ତ୍ତି ହୋଇ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ହେବା ଉଚିତ ବୋଲି କହିଛନ୍ତି।
ସେ କହିଲେ, ଓଡ଼ିଶାର କଳିଙ୍ଗ ରେଜିମେଣ୍ଟ ସମ୍ପର୍କରେ ଏବେ ଅବଗତ ହୋଇଛି। କିନ୍ତୁ ବର୍ତ୍ତମାନ ସମୟରେ ଆମେ ରେଜିମେଣ୍ଟ ସଂଖ୍ୟା ବଢ଼ାଇବାକୁ ଗୁରୁତ୍ୱ ଦେଉନାହୁଁ। ଭିତ୍ତିୂଭମିର ଉନ୍ନତି, ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛୁ। ଓଡ଼ିଶାରେ ପାଠ୍ୟକ୍ରମରେ ସୈନ୍ୟ ବାହିନୀ ସମ୍ପର୍କରେ ରହିବା ଉଚିତ। ଓଡ଼ିଶା ଲୋକଙ୍କ ସେନା ଉପରେ ଜ୍ଞାନ ଓ ସଚେତନତାର ଅଭାବ ରହିଛି। ତେଣୁ ଶିକ୍ଷା ଓ ଏନ୍‌ସିସିରେ ଯୋଗଦେଲେ ଏ ସମ୍ପର୍କରେ ଜାଣିହେବ ବୋଲି ଚଣ୍ଡିପ୍ରସାଦ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାକୁ ବର୍ଷେ ପରେ ଆସିଛନ୍ତି। ଓଡ଼ିଶାର ଉନ୍ନତୀକରଣକୁ ସେ ପ୍ରଶଂସା କରିବା ସହ ପୁରୀର ଭିତ୍ତିଭୂମିରେ ଯେଉଁ ବିକାଶ ହୋଇଛି ତାହାକୁ ଦେଖି ସେ ଅଧିକ ଖୁସିବ୍ୟକ୍ତ କରିଛନ୍ତି।

Share