ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)ର କାର୍ଯ୍ୟକାରୀ ସଭାପତି କେ.ଟି. ରାମାରାଓଙ୍କୁ ଟାର୍ଗେଟ କରି ସୁରେଖା କହିଥିଲେ, ୨୦୨୧ରେ ତତ୍କାଳୀନ ମନ୍ତ୍ରୀ ରାମାରାଓଙ୍କ ଯୋଗୁ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ସେତେବେଳେ ରାମାରାଓ ସାମନ୍ଥାଙ୍କର ଫୋନ୍‌ ଟ୍ୟାପିଂ କରିବା ସହ ତାଙ୍କୁ ଚୈତନ୍ୟଙ୍କଠାରୁ ଅଲଗା ହେବା ପାଇଁ ବ୍ଲାକ୍‌ମେଲିଂ କରିଥିଲେ। ତେବେ ସୁରେଖାଙ୍କର ଏହି ବୟାନଙ୍କୁ ସାମନ୍ଥା ଓ ଚୈତନ୍ୟଙ୍କ ସହ ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ତାରକା ସମାଲୋଚନା କରିଛନ୍ତି। ସୁରେଖାଙ୍କ ବୟାନକୁ ନେଇ ସାମନ୍ଥା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଛାଡ଼ପତ୍ର ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଏଥିରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ନାହିଁ। ସେହିପରି ଚୈତନ୍ୟ କହିଛନ୍ତି, ଛାଡ଼ପତ୍ର ନେଇ ଉଭୟଙ୍କର ବ୍ୟକ୍ତିଗତ ସହମତି ଥିଲା। ସୁରେଖାଙ୍କର ବୟାନ ହାସ୍ୟାସ୍ପଦ ହୋଇଥିବା ସେ କହିଛନ୍ତି। ଚୈତନ୍ୟଙ୍କ ବାପା ତଥା ତେଲ୍‌ଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନୀ ସୁରେଖାଙ୍କର ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି କହିଛନ୍ତି। ସେହିପରି ଚିରଞ୍ଜୀବୀ, ଜୁନିୟର ଏନ୍‌ଟିଆର୍‌, ଭେଙ୍କଟେଶ୍‌, ପ୍ରକାଶ ରାଜ୍‌ଙ୍କ ପରି ତେଲ୍‌ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ବରିଷ୍ଠ କଳାକାର ଉକ୍ତ ବୟାନକୁ ନେଇ ସୁରେଖାଙ୍କୁ ଭର୍ତ୍ସନା
କରିଛନ୍ତି। କୌଣସି କଳାକାରଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମନ୍ତବ୍ୟ ଦେବା ପାଇଁ ସୁରେଖାଙ୍କର କୌଣସି ଅଧିକାର ନାହିଁ ବୋଲି ସେମାନେ କହିଛନ୍ତି। ତେବେ ବିବାଦ ବଢ଼ିବାରୁ ଗୁରୁବାର ସୁରେଖା ନିଜ ବୟାନକୁ ଫେରାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ବିଆର୍‌ଏସ୍‌ ନେତା ରାମାରାଓଙ୍କୁ ଟାର୍ଗେଟ କରିବାବେଳେ ଭାବବିହ୍ବଳ ହୋଇ ସାମନ୍ଥା ଓ ଚୈତନ୍ୟଙ୍କୁ ନେଇ ଅନିଚ୍ଛାକୃତ ଭାବେ ସେ ଏହି ବୟାନ ଦେଇଥିଲେ। ତେବେ ଘଟଣାକୁ କେନ୍ଦ୍ର କରି ଗୁରୁବାର ଅଭିନେତା ନାଗାର୍ଜୁନ ସ୍ଥାନୀୟ ନମ୍ପାଲି କୋର୍ଟରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ଧାରା ୩୫୬ ଅନୁଯାୟୀ, ସୁରେଖାଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା ଦାଏର କରିଛନ୍ତି। ଏନେଇ ତାଙ୍କ ପୁଅ ଚୈତନ୍ୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

Share