ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ ଦେଖୁଥିବା ବିରୋଧୀଙ୍କ ଆଶା ଧୂଳିସାତ୍‌ ହୋଇଛି। ପାକିସ୍ତାନ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ଭୋଟ ଖାରଜ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରବିବାର ପାକିସ୍ତାନ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ ଆଲଭି। ଏଭଳି ପରିସ୍ଥିତିରେ ବିରୋଧୀଙ୍କୁ ଟାର୍ଗେଟ କରୁଥିବାବେଳେ ଇମ୍ରାନ ମନ୍ତ୍ରୀ ଶେଖ ରସିଦ ମଧ୍ୟ ଭାରତ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଯୋଗୁ ବିରୋଧୀଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ଏବଂ ଆମ ସରକାର ପତନ ହୋଇନାହିଁ, ଏହି କାରଣରୁ ଭାରତରେ ନିରାଶାର ପରିବେଶ। ଆମ ସରକାର ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଆମେ ଆଗାମୀ ନିର୍ବାଚନରେ ୨୦୧୮ରୁ ଅଧିକ ଭୋଟ ଜିତିବୁ। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ଇମ୍ରାନ ପୁଣିଥରେ ସରକାର ଗଠନ କରିବେ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ,୯୦ ଦିନ ମଧ୍ୟରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ।

Share