ଶକ୍ତିମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଅଧ୍ୟକ୍ଷ

ଭୁବନେଶ୍ୱର,୧୮।୮ (ବ୍ୟୁରୋ) : ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ସୋମବାର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ନିକଟରେ ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ବ୍ୟବହାର ଉପରେ ଅନେକ ପ୍ରକଳ୍ପର କାର୍ଯ୍ୟାରମ୍ଭ କରିଛନ୍ତି। ରାଜ୍ୟ ଏ କ୍ଷେତ୍ରରେ ସ୍ବାବଲମ୍ବି ହୋଇ ପାରିବ ବୋଲି ସାକ୍ଷାତ ସମୟରେ ଦାସ କହିଥିଲେ। ଭାରତ ସରକାରଙ୍କ ଏହି ଉଦ୍ୟୋଗ ରାଜ୍ୟର ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ସୌରଶକ୍ତି ଉତ୍ପାଦନ ପାଇଁ ପଯ୍ୟାପ୍ତ ସୁଯୋଗ ରହିଥିବା ଦର୍ଶାଇ ପାରମ୍ପାରିକ ବିଦ୍ୟୁତ ଅପହଞ୍ଚ ସ୍ଥାନଗୁଡ଼ିକରେ ଏହା ବହୁତ ଉପାଦେୟ ହୋଇ ପାରିବ ବୋଲି କହିଥିଲେ। ଏଥି ସହିତ ଐତିହ୍ୟମୟୀ କୋଣାର୍କ ମନ୍ଦିରକୁ ଇରେଡା ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଲୋକୀକରଣ ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।

Share