ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ରାଜସ୍ବ ମନ୍ତ୍ରୀ

ସାରସକଣା, ୨୧।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନେହା ମାରାଣ୍ଡି ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏପଟେ ସରକାରଙ୍କ ପକ୍ଷରୁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ, ମୟୂରଭଞ୍ଜ-୨ ଜିଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସମେତ ସାରସକଣା ତହସିଲଦାର ଓ ଅତିରିକ୍ତ ତହସିଲଦାର ଶନିବାର ପହଞ୍ଚି ନଟାସ୍ଥିତ ୪ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହ ରେଡ୍‌କ୍ରସ ପାଣ୍ଠିରୁ ୧୦,୦୦୦ ଏବଂ ବିଜେଡି ପକ୍ଷରୁ ୫୦,୦୦୦ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ତେବେ ଝାଡ଼ଖଣ୍ଡର କଟୁଶୋଳ ଗ୍ରାମର ଶିଶୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଦଳ ପକ୍ଷରୁ ତାଙ୍କ ବାପାଙ୍କୁ ୫୦,୦୦୦ ଟଙ୍କା ସହାୟତା ଦିଆଯାଇଛି। ମୃତା ବୃଦ୍ଧା ନେହାଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଛନ୍ତି।