ମୋ ବସ୍‌ରୁ ୧୦ ହଜାର ଟଙ୍କା ଚୋରି

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୋ ବସରେ ଯାଉଥିବାବେଳେ ଚୈତନ୍ୟ ନାମକ ଜଣେ ଯାତ୍ରୀଙ୍କ ପକେଟରୁ ୧୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି ଲାଗିବା ସତ୍ତ୍ୱେ ଦୁର୍ବୃତ୍ତମାନେ ମୋ ବସ୍‌ ଭିତରେ ଏପରି ସାହସ କରୁଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ଚୈତନ୍ୟ ନୀଳାଦ୍ରିବିହାରସ୍ଥିତ ଝିଅଘରକୁ ଆସିଥିଲେ। ଗତ ୭ ତାରିଖରେ ସେ ଭୁବନେଶ୍ୱର ଡମଣା ଛକରୁ ମୋ ବସ୍‌ ଯୋଗେ ବାଦାମବାଡିକୁ ଯାଉଥିଲେ। ପକେଟରେ ଥିଲା ୧୦ହଜାର ୫ଶହ ଟଙ୍କା। କିଛିବାଟ ଯିବା ପରେ କେହିଜଣେ ଦୁର୍ବୃତ୍ତ ତାଙ୍କ ପକେଟରୁ ଉକ୍ତ ଟଙ୍କା ଚୋରି କରିନେଇଥିଲେ। ତାଙ୍କ ପାଖରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଏହା ଦେଖି ଚୈତନ୍ୟଙ୍କୁ ଜଣାଇବାରୁ ସେ ବଡ଼ ପାଟି କରି ଡ୍ରାଇଭରଙ୍କୁ ଗାଡି ଅଟକାଇବାକୁ କହିଥିଲେ। ହେଲେ ବସ୍‌ଟି ୨ଶହ ମିଟର ଦୂରରେ ଅଟକିଥିଲା। କିନ୍ତୁ ସେତେବେଳକୁ ଦୁର୍ବୃୃତ୍ତ ଜଣକ ଫେରାର ହୋଇଯାଇଥିଲେ। ଘଟଣା ସଂକ୍ରାନ୍ତରେ ସେହିଦିନ ଚୈତନ୍ୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନା ସିସିଟିଭି ଯାଞ୍ଚ କରୁଛି, ଅବା କୌଣସି ତଦନ୍ତ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଚୋର ଧରାପଡିବ ଓ ପଇସା ଫେରିପାଇବା ଆଶାରେ ଚୈତନ୍ୟ ଏବେ ନିଜ ଝିଅଘରେ ଅପେକ୍ଷା କରି ରହିଥିବା ଜଣାପଡିଛି।

Share