ବ୍ରହ୍ମପୁର ଅଫିସ,୧୭।୨: ବ୍ରହ୍ମପୁର ବଡ ମେଡିକାଲକୁ ମିଳିଛି ଆଉ ଏକ ବ୍ୟାଟେରି ଚାଳିତ ରୋଗୀବୁହା ଗାଡ଼ି। ସେହିପରି ନୂତନ ୮ଟି ଭେଣ୍ଟିଲେଟର ମଧ୍ୟ ଏମ୍କେସିଜିକୁ ଆସିଥିବା ଜଣାପଡ଼ିଛି। ଆଶୁ ଚିକିତ୍ସା ବିଭାଗକୁ ଆସୁଥିବା ଗୁରୁତର ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବିଭିନ୍ନ ୱାର୍ଡକୁ ପଠାଯାଇଥାଏ। ସେହିପରି ଆନ୍ତଃବିଭାଗରେ ଚିକିତ୍ସିତ ରୋଗୀଙ୍କ ଏକ୍ସ-ରେ ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ବ୍ୟାଟେରି ଚଳିତ ରୋଗୀବୁହା ଗାଡି ଆବଶ୍ୟକ ପଡ଼ିଥାଏ। ସେହିକ୍ରମରେ ଆଜକୁ ୨ ବର୍ଷ ତଳେ ୨ଟି ବ୍ୟାଟେରି ଚାଳିତ ଗାଡି ନିୟୋଜିତ କରାଯାଇଛି। ତେବେ ରୋଗୀ ସଂଖ୍ୟାକୁ ଦେଖିଲେ ୨ ଗାଡି ଯଥେଷ୍ଟ ହେଉନଥିବାରୁ ଆଉ ଏକ ବ୍ୟାଟେରି ଗାଡି ନିୟୋଜିତ କରିବାକୁ କିଛି ଦିନ ତଳେ ସ୍ବାସ୍ଥ୍ୟ ବିକାଶ ସମିତିରେ ଆଲୋଚନା ହୋଇ ପରବର୍ତ୍ତୀ ସମୟରେ ଏହାକୁ ଅନୁମୋଦନ ଦିଆଯାଇଥିଲା। ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଏହି ନୂତନ ଗାଡିକୁ ମିଶାଇଲେ ବର୍ତ୍ତମାନ ୩ଟି ବ୍ୟାଟେରି ଚାଳିତ ଗାଡି କାମ କରୁଛି।