ମତ ବଦଳାଇଲେ ବିଧାୟକ

ଭୁବନେଶ୍ୱର,୮ା୭(ବ୍ୟୁରୋ): ବିଜେଡିରୁ କୋଣଠେସା ହେବାପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଢଳୁଥିବା ଦେଖିବାକୁ ମିଳିଛି। ଗୁରୁବାର ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ପ୍ରଦୀପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଋଣ ଓଡ଼ିଶାବାସୀ କେବେ ହେଲେ ଶୁଝିପାରିବେ ନାହିଁ। ଏହାସହ ନିକଟରେ ନିଜକୁ ବିଜେଡିର ୨୬ ନମ୍ବର ବିଧାୟକ ବୋଲି କହୁଥିବା ପ୍ରଦୀପ ପ୍ରଥମ ଥର ଲାଗି ନିଜକୁ ସ୍ବାଧୀନ ବିଧାୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ଘଟଣା ଏବେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ କରିଛି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଆଲୋଚନା ଜୋର୍‌ ଧରିଛି।
ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୋଦି ଓଡ଼ିଆ ଜାତିକୁ ଯେଉଁ ସମ୍ମାନ ଦେଇଛନ୍ତି ପୂର୍ବରୁ ସେପରି କୌଣସି ପ୍ରଧାନମନ୍ତ୍ରୀ ଦେଇନାହାନ୍ତି। ସ୍ବାଧୀନତା ପୂର୍ବରୁ କିମ୍ବା ପରେ କୌଣସି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଏତେ ବଡ଼ ଗୁରୁଦାୟିତ୍ୱ ଦେଇନାହାନ୍ତି। ମୋଦି ତାଙ୍କ ୮ ବର୍ଷ ଶାସନ କାଳରେ ଓଡ଼ିଆଙ୍କୁ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଶକ୍ତିକାନ୍ତ ଦାସଙ୍କଠାରୁ ଆରମ୍ଭ କରି ଗିରୀଶ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଏଁ ବହୁ ଓଡ଼ିଆ ବଡ଼ ବଡ଼ ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି। ଏହାସହ ଦେଶର ସର୍ବୋଚ୍ଚ ପଦ ପାଇଁ ଜଣେ ଓଡ଼ିଆ ଝିଅଙ୍କୁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଛନ୍ତି। ଏଥିଲାଗି ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଚିର ଋଣୀ। ଏହି ଋଣ କେବେହେଲେ ଶୁଝିହେବ ନାହିଁ ବୋଲି ବିଧାୟକ କହିଛନ୍ତି। ଅପରପକ୍ଷେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଳାଗି ତାଙ୍କ ସହ କେହି ଯୋଗାଯୋଗ କରିଥିବା ନେଇ ପଚାରିବାରୁ ସେ କହିଛନ୍ତି, ଏନେଇ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି। ବିବେକ ଅନୁଯାୟୀ ଦ୍ରୌପଦୀଙ୍କୁ ସେ ଭୋଟ ଦେବେ। ଅନ୍ୟମାନଙ୍କୁ ଏଥିଲାଗି ମଧ୍ୟ ଅନୁରୋଧ କରିବେ। ଦ୍ରୌପଦୀଙ୍କ ବିପକ୍ଷରେ ଯେପରି ଓଡ଼ିଶାର କୌଣସି ଭୋଟ ନ ଯାଏ ସେଥିଲାଗି ଚେଷ୍ଟା କରିବା ଦରକାର ବୋଲି ପ୍ରଦୀପ କହିଛନ୍ତି।
ସୂଚନାଯୋଗ୍ୟ, ଗୋପାଳପୁର ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ ଯୋଗଦେବା ଅବସରରେ କହିଥିଲେ, ବିଜେଡିରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଏବଂ ନିଜେ ଶୁଣିଛନ୍ତି। ହେଲେ ଏବେ ମଧ୍ୟ ସେ ବିଜେଡି ବିଧାୟକ ଥିବା କହିଥିଲେ। ବିଧାନସଭା ଓ୍ବେବ୍‌ସାଇଟ୍‌ରେ ଶାସକ ଦଳ ତଥା ଟ୍ରେଜେରି ବେଞ୍ଚରେ ୨୬ ନମ୍ବର ଆସନ ତାଙ୍କ ଲାଗି ଉଦ୍ଦିଷ୍ଟ ଅଛି। ଏହାସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ଅବଗତ କରାଯାଉ ନ ଥିବା ସେ କହିଥିଲେ। ହେଲେ ତାଙ୍କର ଏହି ପ୍ରତିକ୍ରିୟାକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଥିଲା।

Share