Advertisement

ସାନପୁଅଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ବିଧାୟକ

ଢେଙ୍କାନାଳ ଅଫିସ, ୧୧।୧: ଢେଙ୍କାନାଳ ଜିଲା ପରଜଙ୍ଗ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଦୀର୍ଘଦିନ ହେଲା ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଧାୟକ ଡା. ନୃସିଂହ ଚରଣ ସାହୁ। ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ପୁରୁଖା ବିଜେଡି ନେତା ନୃସିଂହଚରଣ ସାନପୁଅ ଅସିତ୍‌ କୁମାର ରାୟଚୌଧୁରୀଙ୍କୁ ସଙ୍ଗଠନ ଦାୟିତ୍ୱ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ଅସିତ୍‌ଙ୍କ ପ୍ରବେଶକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଆଗାମୀ ନିର୍ବାଚନରେ ଯୁବନେତୃତ୍ୱକୁ ବିଜେଡି ଗୁରୁତ୍ୱ ଦେବ ବୋଲି ଘୋଷଣା କରିସାରିଥିବାବେଳେ ସାନପୁଅଙ୍କୁ ସଙ୍ଗଠନର ଦାୟିତ୍ୱ ଅର୍ପଣ କରିବା ରାଜନୈତିକ ରଣନୀତି ବୋଲି ଆଲୋଚନା ହେଉଛି।
ପରଜଙ୍ଗ ମିନି ଷ୍ଟାଡିୟମ୍‌ରେ ମଙ୍ଗଳବାର ନିର୍ବାଚନମଣ୍ଡଳୀସ୍ତରୀୟ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥିଭାବେ ଜିଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ମାନିତ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଜିଲା ପରିଷଦ ଉପସଭାନେତ୍ରୀ ବିଳାସିନୀ ସେଠୀ, ଜିଲା ସାଧାରଣ ସମ୍ପାଦକ ଭୂପେଶ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଜିଲା ପରିଷଦ ସଦସ୍ୟ ରୁନୁ ବର୍ମା, ନିରାକାର ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଶ୍ରମିକ ନେତା ଦିଲୀପ ବର୍ମା, ଛାତ୍ର ବିଜେଡି ସଭାପତି ପ୍ରିୟଜିତ୍‌ ସାମଲଙ୍କ ସମେତ ୩,୦୦୦ରୁ ଊର୍ଦ୍ଧ୍ୱ କର୍ମୀ ଉପସ୍ଥିତ ଥିଲେ।
ନିଜ ପ୍ରତିକ୍ରିୟାରେ ବିଧାୟକ କହିଛନ୍ତି, ଅସିତ୍‌ଙ୍କୁ ଯେବେ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ତାହାକୁ ସୁଚାରୁରୂପେ ତୁଲାଇଛନ୍ତି। ଦଳର ୨୬ତମ ପ୍ରତିଷ୍ଠା ଦିବସ ପକ୍ଷ ପାଳନ ଦାୟିତ୍ୱ ମଧ୍ୟ ସେ ନେଇଛନ୍ତି। ଯେହେତୁ କର୍ମୀମାନେ ତାଙ୍କୁ ସମର୍ଥନ କରୁଛନ୍ତି, ତେଣୁ ତାଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିରେ କର୍ମୀମାନେ ସହଯୋଗ କରିବାକୁ ବିଧାୟକ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share