ମେଗା ଜଳ ପ୍ରକଳ୍ପ ସହ ବିସ୍ଥାପନ ପ୍ରସଙ୍ଗ ଉଠାଇଲେ ବିଧାୟକ

ବଇଣ୍ଡା,୩୦ା୭(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚଳିତ ବିଧାନସଭା ଅଧିବେଶନରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାୟକ ପ୍ରଧାନ ପ୍ରଥମେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଓଳଥ ଓ ବାସୁଦେବପୁର ଠାରେ ନିର୍ମାଣ ହେଉଥିବା ମେଗା ଜଳସେଚନ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସେ ଦାବି କରିଥିଲେ। ସେହିପରି ସାତକୋଶିଆ ଅଭୟାରଣ୍ୟ ନିକଟରେ ଥିବା ଟିକରପଡ଼ା, ଗଇଦି, ବେହେରାସାହି, ମଝିପଡ଼ା ଅଞ୍ଚଳବାସୀ ମହାନଦୀ ପାଣି ବ୍ୟବହାର କରୁଥିବା ବେଳେ ସେମାନେ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି। ତେଣୁ ନଦୀର ଉକ୍ତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ଚି଼ହ୍ନଟ କରାଯାଇ ଲୋକଙ୍କ ପାଇଁ ସୁରକ୍ଷିତ କରିବାକୁ ତାର ବାଡ଼ ଦେବା ପାଇଁ ବିଧାୟକ ଦାବି କରିଥିଲେ। ଏଥିସହ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ପିଲାଙ୍କ ପରିବାରକୁ ଥଇଥାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ସେହିପରି ପୁରୁଣାକୋଟ ପଞ୍ଚାୟତର ଭୃକୃଣ୍ଡି ଗ୍ରାମର ବିସ୍ଥାପନ ପାଇଁ ପୂର୍ବରୁ ପଲ୍ଲୀସଭା, ଗ୍ରାମସଭା କରା ନ ଯାଇ ବିସ୍ଥାପନ କରାଯାଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭାରେ ଅଞ୍ଚଳବାସୀଙ୍କ ସମସ୍ୟା ଉଠାଇ ଥିବାରୁ ବିଧାୟକଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।