Advertisement

ଭୋଟ ପ୍ରଚାରରେ ଆସି ବିଧାୟକ ହଟହଟା

ନୟାଗଡ଼ ଅଫିସ,୨୪।୧: ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିରୋଧ କରାଯାଇଛି। ରବିବାର ପଞ୍ଚାୟତ ନିର୍ବାଚନ ପାଇଁ ସେ ପ୍ରଚାରକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ଗତ ୩ ବର୍ଷ ତଳେ ବୃତ୍ତଙ୍ଗ ପୋଲ ନିର୍ମାଣ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଏହାକୁ ନେଇ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତର ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଆଦି ୪ ଗାଁର ଲୋକମାନେ ତାଙ୍କୁ ସମାଲୋଚନା କରିଛନ୍ତି।
ଗତ ବିଧାନସଭା ନିର୍ବାଚନ ସମୟରେ ବୃତ୍ତଙ୍ଗ ପୋଲ ନିର୍ମାଣ ଦାବିରେ ୪ ଗଁାର ଲୋକମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ବେହେରା ଗାଁ ଲୋକମାନଙ୍କୁ ବୁଝାଶୁଝା କରିବା ସହ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ନେବାରେ ସମର୍ଥ ହୋଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପୋଲ ନିର୍ମାଣ ହୋଇନାହିଁ। ଫଳରେ ସ୍ଥାନୀୟ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବିଧାୟକଙ୍କ ଉପରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ। ପଞ୍ଚାୟତ ନିର୍ବାଚନ ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଥିଲା। ରବିବାର ବିଧାୟକ ବେହେରା ବଣି, ପ୍ରଧାନପଡ଼ା, ସାନମୁଣ୍ଡୁଳୀ ଓ ଗାଡିଆପଡ଼ା ଗଁାକୁ ଭୋଟ ପ୍ରଚାର ପାଇଁ ଯାଇଥିଲେ। ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ସମ୍ମାନର ସହ ବସାଇ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ। ଇତିମଧ୍ୟରେ ୩ ବର୍ଷ ବିତିଛି। ବୃତ୍ତଙ୍ଗ ପୋଲର ନଁା ଗନ୍ଧ ନାହିଁ। ପୁଣି ଆପଣଙ୍କ ଦେଖାନାହିଁ। ଆପଣ ବିଧାୟକ ହେବା ପରେ ଆମ ପଞ୍ଚାୟତକୁ ଆସି କୌଣସି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିନାହାନ୍ତି। ଭୋଟ ପରେ ଆପଣ ଆମକୁ ଭୁଲି ଯାଇଛନ୍ତି। ଆପଣ ଦେଇଥିବା ଫୋନ ନମ୍ବରରେ କଲ୍‌ କଲେ ଫୋନ୍‌ ଲାଗୁନାହିଁ। ଆପଣଙ୍କ ପ୍ରତିନିଧି ଓ ନେତାମାନଙ୍କୁ କହିଲେ ଆମ କଥା କେହି ଶୁଣୁ ନାହାନ୍ତି। ମିଥ୍ୟା ପ୍ରତିଶ୍ରୁତି ଶୁଣି ଆଉ ଭୋଟ ଦେଇ ହେବନି। ଗ୍ରାମବାସୀଙ୍କ ଏପରି କଥା ଶୁଣି ବିଧାୟକ କହିଥିଲେ, ବୃତ୍ତଙ୍ଗ ପୋଲ ନିର୍ମାଣ ପାଇଁ ଅର୍ଥମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ଟେଣ୍ଡର ହେବ। ହେଲେ ଲୋକମାନେ ବିଧାୟକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ସେମାନେ କହିଲେ ଆପଣ ଯଦି ପ୍ରକୃତ ବିଧାୟକ ଆଜି ଟେଣ୍ଡର କରି କାମ ଆରମ୍ଭ କରନ୍ତୁ। ଆମେ ଆପଣଙ୍କ ଦଳର ସବୁ ପ୍ରାର୍ଥୀଙ୍କୁ ଭୋଟ ଦେବୁ। ଶେଷରେ ଭୋଟର ଓ ଗଁା ଲୋକଙ୍କ ପ୍ରଶ୍ନବାଣରେ ବିଧାୟକ ଅପଦସ୍ଥ ହୋଇ ଗଁା ଛାଡି ଚାଲି ଆସିଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି ଭିଡ଼ିଓ କରି ଗଣମାଧ୍ୟମକୁ ଦେଇଛନ୍ତି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି ନ କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share