ଧାମନଗର, ୨୪।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଛୁଟି ଆସୁଛନ୍ତି। ଏଥିପାଇଁ ରବିବାର ଭଦ୍ରକ-ଆରଡ଼ି ରାଜ୍ୟ ରାଜପଥ ସହ କୋଠାର-ଧାମନଗର ସଡ଼କ ଚଳଚଞ୍ଚଳ ହୋଇଉଠିଥିଲା। ବୋଲ୍ବମ୍ ଧ୍ୱନି ନିଆରା ପରିବେଶ ସୃଷ୍ଟି ହୋଇଥିଲା। ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା କାଉଡ଼ିଆମାନଙ୍କୁ ସେବା ଯୋଗାଇ ଦେବା ପାଇଁ କୋଠାର ଛକଠାରେ ଭାଜପା ପକ୍ଷରୁ ଏକ ସ୍ବତନ୍ତ୍ର ସେବାକେନ୍ଦ୍ର ଖୋଲାଯାଇଛି। ଏହି ସେବାକେନ୍ଦ୍ରରେ ରବିବାର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି କାଉଡ଼ିଆ ଭାଇଭଉଣୀ ଓ ଶିଶୁମାନଙ୍କ ପାଦସେବା କରିଥିଲେ। ଏହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ବିଧାୟକ ଦୂରଦୂରାନ୍ତରୁ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କ ପାଦ ଧୋଇବା ସହ ସେମାନଙ୍କ ଆଶୁ ଚିକିତ୍ସା ମଧ୍ୟ କରିଥିଲେ। ରାସ୍ତାରେ ଠିଆହୋଇ ଶିବ ଭକ୍ତଙ୍କ ପଥ କଷ୍ଟ ଲାଘବ କରିବା ନିମନ୍ତେ ଆଖଣ୍ଡଳମଣି ଧାମକୁ ପାଣି ଢାଳିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସେବାକେନ୍ଦ୍ରକୁ ସ୍ବାଗତ କରିବା ସାଙ୍ଗକୁ ସହଯୋଗୀମାନଙ୍କ ସହ ମିଶି ଉଷୁମ ପାଣିରେ ସେମାନଙ୍କ ପାଦକୁ ବୁଡ଼ାଇ ମାଲିସ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଜଣେ ବିଧାୟକ ଭାବେ ନୁହେଁ, ଜଣେ ସେବକ ଭାବେ ଆମର ଆଧ୍ୟାତ୍ମିକ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ସେବା କରିବାକୁ ସର୍ବଦା ପ୍ରସ୍ତୁତ ବୋଲି ବିଧାୟକ ସେ କହିଥିଲେ।