ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ ଇଚ୍ଛାରେ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି କେହି ଭୋଟରଙ୍କ ଉପରେ ଚାପ ପ୍ରୟୋଗ କରେ ତା’ହେଲେ ଜେଲଦଣ୍ଡ ଭୋଗିବା ଭଳି କଡ଼ା ନିୟମ ରହିଛି। ଏହା ସତ୍ତ୍ୱେ ଏହି ନିୟମକୁ ନିର୍ବାଚନରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏପରି ଏକ ଚିତ୍ର ଏବେ ପଦାକୁ ଆସିଛି। ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ମହେଶ ବାକା ଏହି ଆଇନର ଉଲ୍ଲଂଘନ କରି ତାଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ଶପଥପାଠ କରାଉଥିବା ଅଭିଯୋଗ ହୋଇଛି।
ଖବରରୁ ଜଣାପଡ଼ିଛି ଖଇରପୁଟ ବ୍ଲକ ବଡ଼ଡୁରାଲ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭିକାରି କିର୍ସାନୀ ଓ ଅନ୍ୟ କେତେଜଣ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଜଙ୍ଗଲ ମଧ୍ୟରେ ମେଳି କରାଇ ବିଧାୟକଙ୍କ ପୁଅ ଶପଥ କରାଇଛନ୍ତି। ଯଦି ଏଥିରେ ସେମାନେ ଖିଲାପ କରନ୍ତି ଭଗବାନଙ୍କ ନିକଟରେ ଦଣ୍ଡିତ ହେବେ ବୋଲି ଲୋକଙ୍କୁ ଭୟଭୀତ କରାଇଛନ୍ତି। ଶୁକ୍ରବାର ଖଇରପୁଟ ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନର କିଛି ଘଣ୍ଟା ପୂର୍ବରୁ ଏପରି ଶପଥପାଠ କାର୍ଯ୍ୟକ୍ରମ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ ନେଇ ବିରୋଧୀ ରାଜନୈତିକ ଦଳ ଏହାକୁ ଅସ୍ତ୍ର କରିବାକୁ ସୁଯୋଗ ପାଇଛନ୍ତି। ଏ ସଂକ୍ରାନ୍ତରେ ଖଇରପୁଟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ହୃଦାନନ୍ଦ ସାହୁଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ପ୍ରମାଣିତ ହେଲେ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାହୁ କହିଥିଲେ। ଏ ସମ୍ପର୍କରେ କଂଗ୍ରେସ ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଶାସକ ଦଳ ନିଜର ବାହୁବଳ ଓ ଅର୍ଥବଳ ପ୍ରୟୋଗକରି ନିର୍ବାଚନ ବୈତରଣୀ ପାରହେବାକୁ ଚେଷ୍ଟା କରୁଛି। ଦଳ ହାରିଯିବା ଭୟ ଥିବାରୁ ଭଗବାନଙ୍କ ଆଶ୍ରୟ ନେଇ ଏପରି ଶପଥ ପାଠ କରାଉଛନ୍ତି ବୋଲି ସେ କହିଥିଲେ।

Share