ମା-ବାପାଙ୍କ ଆଗରେ କୁନିଝିଅକୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ବେଜିଂ,୩୦ା୧୦: ମଣିଷ ସହିତ ମାଙ୍କଡ଼ମାନଙ୍କ ସମ୍ପର୍କ ଯେତିକି ବନ୍ଧୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ବିପଦଜ୍ଜନକ। ଆପଣ ନିଶ୍ଚୟ ଅନେକଥର ଶୁଣିଥିବେ କିମ୍ବା ଦେଖିଥିବେ ମାଙ୍କଡ଼ମାନେ ଜିନିଷ ଉଠାଇ ନେଇ ପଳାନ୍ତି। କିନ୍ତୁ ଯେତେବେଳେ ଏକ ମାଙ୍କଡ଼ ମଣିଷ ପିଲାକୁ ନେଇଯାଏ ସେତେବେଳେ ଏହା ହଇଚଇ ସୃଷ୍ଟି କରେ। ନିକଟରେ ଏକ ବଣୁଆ ମାଙ୍କଡ଼ ତିନି ବର୍ଷର ଝିଅକୁ ତା’ ମା-ବାପାଙ୍କ ଆଗରେ ଟେକି ନେଇଥିବା କୁହାଯାଉଛି। ସେହି ସମୟରେ ଝିଅର ମା-ବାପା କ୍ଷେତରେ କାମ କରୁଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଦକ୍ଷିଣ-ପଶ୍ଚିମ ଗୁଇଜୋଉ ପ୍ରଦେଶରୁ ଏହି ମାମଲା ଆସିଛି। ଯେଉଁଠାରେ ତିନି ବର୍ଷର କୁନି ଝିଅକୁ ଏକ ବଣୁଆ ମାଙ୍କଡ଼ ଉଠାଇ ନେଇଥିଲା ଏବଂ ପରେ ତାଙ୍କୁ ଏକ ବିପଦପୂର୍ଣ୍ଣ ଶିଖର କଡ଼ରେ ଧରି ବସିଥଲା। ଝିଅର ମା ବାପା ଯେତେବେଳେ କ୍ଷେତ କାମରେ ବ୍ୟସ୍ତ ଥିଲେ ମାଙ୍କଡ଼ଟି ଆସି ଝିଅକୁ ନେଇଯାଇଥିଲା। ବହୁ ଖୋଜାଖୋଜି କରିବା ପରେ ଏକ ବୁଦା ଭିତରୁ ପାଇଥିଲେ।

ଝିଅର ବାପା କହିଛନ୍ତି, ତାଙ୍କ ସ୍ତ୍ରୀ ଝିଅକୁ ଗଛ ଛାଇରେ ବସାଇ କ୍ଷେତରେ କାମ କରୁଥିଲେ। କିଛି ସମୟ ମଧ୍ୟରେ ଝିଅ ସେଠାରେ ନ ଥିଲା। ଗାଁର କେହି ଜଣେ ଭିଡିଓ ଦେଖାଇଥିଲେ, ଯେଉଁଥିରେ ଏକ ବଣୁଆ ମାଙ୍କଡ଼ ଝିଅକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଗ୍ରାମବାସୀ ଏହା ମଧ୍ୟ କହିଛନ୍ତି ଯେ, ସେ ଏକ ବିରାଟ ମାଙ୍କଡ଼ ଘଟଣାସ୍ଥଳରେ ବୁଲୁଥିବା ଦେଖିଛନ୍ତି।

ବାପା କହିଛନ୍ତି, ଝିଅ ମିଳିଲା ସତ। ଆମେ ବହୁତ ଡରି ଯାଇଥିଲୁ। ଯେତେବେଳେ ସେ ତାଙ୍କ ଝିଅକୁ ପଚାରିଲେ ମାଙ୍କଡ଼ ନେଇ ଯାଇଥିଲା ସେ ହଁ ବୋଲି ଉତ୍ତର ଦେଇଥିଲେ। ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଝିଅଟିକୁ ଅଳ୍ପ ଆଘାତ ଲାଗିଛି। କମ୍‌ ସମୟ ମଧ୍ୟରେ ଝିଅକୁ ସୁରକ୍ଷିତ ଭାବେ ପାଇଥିବାରୁ ବାପା ପୋଲିସକୁ ଧନ୍ୟବାଦ ଦେଇଛନ୍ତି।

Share