ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍ୱେଲ୍ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରାଯାଇଛି। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍ଡବ୍ଲ୍ୟୁଏସ୍ଏସ୍) ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା) ଦ୍ୱାରା ପର୍ଯ୍ୟାୟକ୍ରମେ ମୋଟ ୧୩,୨୧୯ କରାଯାଇଛି। ଏହି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏବେ ରାଜ୍ୟରେ ୭୩୯ଟି ପ୍ରକଳ୍ପ ଅଚଳ ହୋଇପଡ଼ିରହିଛି, ଯାହା ସିଆର୍ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ଗତ ୨୭ ତାରିଖ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ବାସ୍ତବରେ ଅଚଳ ପ୍ରକଳ୍ପ ସଂଖ୍ୟା ବହୁ ଅଧିକ ବୋଲି ବିଭିନ୍ନ ସ୍ଥାନରୁ ହେଉଥିବା ଅଭିଯୋଗ ଜଣାପଡ଼ିଛି। ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ ଅନୁଦାନର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍ କରାଯାଇଥିବାରୁ ଉକ୍ତ ପ୍ରକଳ୍ପଗୁଡ଼ିକ ଦ୍ୱାରା ଲୋକେ ଉପକୃତ ହୋଇପାରୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ ପାଉଛି। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ୍) ଆର୍ଡବ୍ଲ୍ୟୁଏସ୍ଏସ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି।
ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଓ ଅନୁଦାନ ହରିଲୁଟ ମନୋଭାବ ଯୋଗୁ ଲୋକଙ୍କୁ ଅନେକ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ମାସେ ବି ଜଳ ଯୋଗାଇ ପାରିନାହିଁ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଜିଲାର ବଡ଼ଚଣା ବ୍ଲକ ଅଧୀନ ଅସିଆ, ଆକବରବାଦ, ଚଣ୍ଡିତଳ, ଚାରିନଙ୍ଗଳ, ପତରାଜପୁର, ବରଗଡ଼, ପରିଆ, ବନ୍ଧପାଲି, ସାଳପଡ଼ା ଓ ରାଇଝର, ଦାନଗଦି ବ୍ଲକର ଅଙ୍କୁରପାଳ, ଭିତରମାଣିକ, ଗୋଲଗାଁ ଓ ଟୁଙ୍ଗେଇସୁନି, ଧର୍ମଶାଳା ବ୍ଲକର ରଘୁନାଥପୁର, ବିଛାଖଣ୍ଡି, ଝଟିଆପଡା, ବଡବରିସାହି, ଫଜଲପୁର ଓ ତାଳଜଙ୍ଗା, ସୁକିନ୍ଦା ବ୍ଲକର ବହୁଚର୍ଚ୍ଚିତ ନଗଡ଼ା, ଛତାନଗର, ନୂଆଗାଁ, ପାଟଣା, ମିର୍ଗିଚରା ଓ ତଳଙ୍ଗି ଗ୍ରାମର ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଏଥିପାଇଁ ଜଳସ୍ତର ଅତିନିମ୍ନ, ମେଶିନ ଯନ୍ତ୍ରାଂଶ ନ ମିଳିବା, ବୋର୍ କୋଲାପ୍ସ, ମଦରବୋର୍ଡ ଚୋରି, ସୋଲାର ପ୍ୟାନେଲ ଭାଙ୍ଗିଯିବା, ପମ୍ପ ଓ ମୋଟର ହଜିବା ଇତ୍ୟାଦି କାରଣ ଦର୍ଶାଯାଇଛି। ଯାଜପୁର ଜିଲାରେ ଏଯାଏ ୨୬୬ଟି ପ୍ରକଳ୍ପ କରାଯାଇଥିବାବେଳେ ୨୫ଟି ହୋଇଥିବା ସରକାରୀ ଭାବେ କୁହାଯାଇଛି। ବାସ୍ତବରେ ଉଲ୍ଲେଖିତ ଅଚଳ ସଂଖ୍ୟାଠାରୁ ବହୁ ଅଧିକ ସୌରଚାଳିତ ପ୍ରକଳ୍ପ କାର୍ଯ୍ୟରେ ଆସୁ ନ ଥିବା ଲୋକେ ପ୍ରକାଶ କରିଛନ୍ତି। ଏ କଥାକୁ ସ୍ବୀକାର କରିଛନ୍ତି ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜା। ତାଙ୍କ କହିବାନୁଯାୟୀ ଅଚଳ ପ୍ରକଳ୍ପ ସଂଖ୍ୟା ୫୦%ରୁ ଅଧିକ ହେବ। ଏସ୍ଡିଓ ଓ ଯନ୍ତ୍ରୀମାନଙ୍କୁ ପ୍ରକୃତ ଅଚଳ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ କୁହାଯାଇଥିବା ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମରାମତି ପାଇଁ ଓରେଡା ଓ ସାମଗ୍ରୀ ଯୋଗାଇଥିବା କମ୍ପାନୀକୁ କୁହାଯାଇଛି ବୋଲି ପରିଜା କହିଛନ୍ତି। ସେହିପରି ସରକାରୀ ତଥ୍ୟ ଅନୁଯାୟୀ, ବଲାଙ୍ଗୀର ଜିଲାରେ ମୋଟ ୨୭୮ ପ୍ରକଳ୍ପ ମଧ୍ୟରୁ ୧୮ଟି ଅଚଳ ହୋଇଥିବାବେଳେ ଅନୁଗୋଳରେ ୩୦୦ରୁ ୨୫, ଦେବଗଡ଼ରେ ୨୫୪ରୁ ୧୬, ନୟାଗଡରେ ୨୭୨ରୁ ୧୫, ବାଲେଶ୍ୱରରେ ୧୭୯ରୁ ୧୧, ବରଗଡ଼ରେ ୨୧୩ରୁ ୩ ପ୍ରକଳ୍ପ ଅଚଳ ହୋଇଛି। ଅନ୍ୟ ଜିଲା ମଧ୍ୟରେ ମୟୂରଭଞ୍ଜରେ ୮୦, କୋରାପୁଟରେ ୫୫, କଳାହାଣ୍ଡିରେ ୪୮, ଗଞ୍ଜାମରେ ୨୮, ବୌଦ୍ଧରେ ୧୧, କଟକରେ ୯, ଢେଙ୍କାନାଳରେ ୨୩, ଗଜପତିରେ ୧୭, ଭଦ୍ରକରେ ୩, ଜଗତ୍ସିଂହପୁରରେ ୨, ଝାରସୁଗୁଡ଼ାରେ ୧୦, କନ୍ଧମାଳରେ ୧୭, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୮୩, ଖୋର୍ଦ୍ଧାରେ ୫, ମାଲକାନଗିରିରେ ୧୩, ନବରଙ୍ଗପୁରରେ ୭, ନୂଆପଡ଼ାରେ ୧୦, ପୁରୀରେ ୮, ରାୟଗଡ଼ାରେ ୨୬, ସମ୍ବଲପୁରରେ ୩୭, ସୁବର୍ଣ୍ଣପୁରରେ ୧୭ ଓ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୧୬ଟି ସୌରଚାଳିତ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସୁନ୍ଦରଗଡ଼ ଜିଲାରେ ଅଚଳ ପ୍ରକଳ୍ପ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣେ ବିଭାଗୀୟ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏପରି କି ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ଯାଏ ଥିବାବେଳେ ତାହା କରାଯାଉ ନ ଥିବା ସେ କହିଛନ୍ତି। ଏଭଳି ପରିସ୍ଥିତି ଯୋଗୁ ରାଜ୍ୟରେ ହାରାହାରି ପ୍ରାୟ ୩୦ କୋଟି ଟଙ୍କା ବରବାଦ ହୋଇଯାଇଛି।
ମାଲକାନଗିରି ଜିଲା ଦାୟିତ୍ୱରେ ଥିବା ଓରେଡା ଉପ ନିର୍ଦ୍ଦେଶକ ଅରୁଣ କୁମାର ମହାପାତ୍ର କହିଛନ୍ତି ଯେ, ଜିଲାର ୩୮୨ ପ୍ରକଳ୍ପରୁ ୨୫ଟି ଅଚଳ ହୋଇଛି। ଅନେକ ପ୍ରକଳ୍ପର ମରାମତି ଆବଶ୍ୟକ ହେଲାଣି। ଆସନ୍ତା ମାସେ ମଧ୍ୟରେ ଏହି ପ୍ରକଳ୍ପଗୁଡିକୁ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ଏବଂ ଜଳ ଯୋଗାଣ ଦାୟିତ୍ୱ ଆମ ବିଭାଗ ଆଉ ବୁଝିବ ନାହିଁ ବୋଲି ସେ କହିଛନ୍ତି।
ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ (ଏନ୍ଆର୍ଡିଡବ୍ଲ୍ୟୁପି) ଜରିଆରେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୦୦ ଡବ୍ଲ୍ୟୁପି କ୍ଷମତା ବିଶିଷ୍ଟ ପ୍ରକଳ୍ପରେ ୧ ଏଚ୍ପି ସବ୍ମରସିବଲ ପମ୍ପ ସ୍ଥାପନ ହୋଇଥାଏ। ଏହି ପମ୍ପ ବଳରେ ଦୈନିକ ୮ ହଜାରରୁ ୧୦ ହଜାର ଲିଟର ପର୍ଯ୍ୟନ୍ତ ଜଳଯୋଗାଣ ହୋଇଥାଏ। ହେଲେ କେତେକ ବୋର୍ୱେଲ୍ ଆବଶ୍ୟକ ଗଭୀର ପର୍ଯ୍ୟନ୍ତ ଖନନ ହୋଇ ନଥିବାରୁ ସୌରଚାଳିତ ପ୍ରକଳ୍ପ ଅକାମୀ ହେଉଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତର ପଥୁରିଆ ବସ୍ତିରେ ଟାଟା ପାୱାର ଜରିଆରେ ହୋଇଥିବା ପ୍ରକଳ୍ପ ୬୪୨ ଦିନ ଚାଲିବା ପରେ ଅଚଳ ହୋଇ ପଡ଼ିଥିଲା। ସେହିପରି ସୁକିନ୍ଦା ବ୍ଲକ ଗୋବରଘାଟି ପଞ୍ଚାୟତର ମିର୍ଗିଚରା, ଚିଙ୍ଗୁଡିପାଳ ପଞ୍ଚାୟତ ଛତାନଗର ଗ୍ରାମର ମୁଣ୍ଡାସାହି ଓ କଅଁସ ପଞ୍ଚାୟତର ତଳଙ୍ଗୀ ଗ୍ରାମର ପେଠସାହିରେ ଭୂତଳ ଜଳ କମ୍ ରହିଥିବାରୁ ତାହା ଅଚଳ ହୋଇ ପଡିଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଥିଲା।
ଅଚଳ ପ୍ରକଳ୍ପ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟ ମାଗିବା ପରେ ଆର୍ଡବ୍ଲ୍ୟୁଏସ୍ଏସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୩ ସୁଦ୍ଧା ଅଚଳ ପ୍ରକଳ୍ପଗୁଡିକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ଆର୍ଡବ୍ଲ୍ୟୁଏସ୍ଏସ୍ ସର୍ବୋଚ୍ଚ ଯନ୍ତ୍ରୀ ଗତ ୨୭ ତାରିଖରେ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଓରେଡା ସଂସ୍ଥାକୁ ଏନେଇ ସୂଚିତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୁହାଯାଇଛି।