ମଶା ମଣିଷର ବଡ଼ ଶତ୍ରୁ। ତାକୁ କେହି ଭଲ ପାଆନ୍ତି ନାହିଁ। ଆଉ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ ମରାଯାଏ। ହେଲେ ଜାଣନ୍ତି କି ଏମିତି ଏକ ପ୍ରଜାତିର ମଶା ଅଛି, ଯାହା ଦେଖିବାକୁ ବେଶ୍ ସୁନ୍ଦର। ଆଉ ସେ ସବୁଠାରୁ ସୁନ୍ଦର ମଶାର ମାନ୍ୟତା ବି ପାଇଛି। ଉକ୍ତ ମଶାର ନାଁ ହେଉଛି ‘ସାବେଥେସ୍ ସ୍ୟାନ୍ୟୁଅସ୍’। ଏହି ମଶାର ରଙ୍ଗ ରୂପ ଏମିତି ଯେ, ଦେଖିବା କ୍ଷଣି ତାକୁ ହାତ ଉଠାଇ ମାରିବାକୁ ଇଚ୍ଛା ହେବ ନାହିଁ। ବରଂ ଘଡ଼ିଏ ଦେଖିବାକୁ ଇଚ୍ଛା ହେବ। ଦକ୍ଷିଣ ଆମେରିକାର ଉଷ୍ମ ଜଙ୍ଗଲରେ ଦେଖାଯାଉଥିବା ମଶା ନିଜର ସୌନ୍ଦର୍ଯ୍ୟ ପାଇଁ ପରିଚିତି ପାଇଛି। ସାଧାରଣତଃ ମଶା କଳା ଅବା ଧୂସର ରଙ୍ଗର ହୋଇଥାନ୍ତି। କିନ୍ତୁ ଏହି ମଶା ଗାଢ଼ ନୀଳ ରଙ୍ଗର। ତା’ର ଗୋଡ଼ରେ ଛୋଟ ଛୋଟ ପର ଲାଗିଥାଏ। ଏହି ପର ଦେଖିବାକୁ ମୟୂର ପିଞ୍ଛ ଭଳି। ସେଥିପାଇଁ ଏହି ମଶା ବେଶ୍ ଆକର୍ଷକ ଲାଗେ। ଏହି ମଶା ବେଶ୍ ଚଞ୍ଚଳ ମଧ୍ୟ। ତେଣୁ ଏହାର ଫଟୋ ଉଠାଇବା ବେଶ୍ କଷ୍ଟକର। ସାମାନ୍ୟ ଗତିବିଧି, ଏମିତି କି କ୍ୟାମେରା ଲାଇଟ୍ରେ ବି ଏହି ମଶା ଉଡ଼ିଯାନ୍ତି।