ମାଦ୍ରିଦ୍: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଛେନା ଉତ୍ପାଦନ ହୋଇଥାଏ। ସେହି ଅନୁସାରେ ତା’ର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ। ଉତ୍ତର ସ୍ପେନ୍ରେ ଏକ ପ୍ରକାରର ନୀଳ ଛେନାର ନିଲାମି ନିକଟରେ ଦୁନିଆର ସବୁଠୁ ମହଙ୍ଗା ଛେନା ହେବାର ରେକର୍ଡ ଭାଙ୍ଗିଛି। ପ୍ରତିବର୍ଷ ଅଗଷ୍ଟରେ ସ୍ପେନ୍ର ଲସ୍ ଏରେନାସରେ ଏକ ଉତ୍ସବ ଆୟୋଜନ କରାଯାଏ। ଯେଉଁଠାରେ ଛେନାର ନିଲାମି ହୁଏ। ସେଠାରେ ଲାଗୋର ଦି କଲୋଟୋ ନାମକ ଏକ ରେଷ୍ଟୁରାଣ୍ଟ ୨.୨ କି.ଗ୍ରା. ଓଜନର ଛେନା ୩୦ ହଜାର ୟୁରୋ ଅର୍ଥାତ୍ ୨୭ ଲକ୍ଷ ଟଙ୍କାରେ କିଣିଛି। ଉକ୍ତ ରେଷ୍ଟୁରାଣ୍ଟ କହିଛି, ଏହି କାବ୍ରାଲେସ ଛେନାର ଖାସ୍ କଥା ହେଉଛି, ଏହାକୁ ହାତରେ ପ୍ରସ୍ତୁତ କରାଯାଏ। ତେବେ ୧ କି.ଗ୍ରା. ଛେନାର ଦାମ୍ ୧୩ ଲକ୍ଷ ହେବ। ୪ କି.ଗ୍ରା. ଛେନାର ମୂଲ୍ୟ ୫୨ ଲକ୍ଷ ହେବ। ଗତଥର ଏହି ରେକର୍ଡ ୨୦୧୯ରେ ହୋଇଥିଲା। ସେତେବେଳେ ୨ କି.ଗ୍ରା. ଛେନାର ମୂଲ୍ୟ ୨୦,୫୦୦ ୟୁରୋ ଅର୍ଥାତ୍ ୧୮ ଲକ୍ଷ ୨୫ ହଜାରରେ ନିଲାମ ହୋଇଥିଲା। ଏହି ଛେନା ପ୍ରସ୍ତୁତ ପାଇଁ ଗାଈ ଏବଂ ଛେଳିର କ୍ଷୀରକୁ ଲସ୍ ପିକୋସ ଦି ୟୁରୋପା ପାହାଡ଼ର ଗୁମ୍ଫାରେ କିଛି ମାସ ପାଇଁ ରଖାଯାଏ। ଏହି ଛେନା ଗାଈର କଞ୍ଚା କ୍ଷୀର ନଚେତ୍ ଛେଳିର କ୍ଷୀରରେ ପ୍ରସ୍ତୁତ କରାଯାଏ। ପାହାଡ଼ ଗୁମ୍ଫାରେ ୭ ଡିଗ୍ରୀ ସେଲ୍ସିୟସ୍ରେ ଏକ ନୀଳ ରଙ୍ଗର ଆବରଣ ସୃଷ୍ଟି ହୁଏ।