Advertisement

ସବୁଠୁ ଡ଼େଙ୍ଗା ବାସ୍କେଟବଲ ଖେଳାଳି

ଉତ୍ତର ପ୍ରଦେଶ କାନପୁରରେ ପୁନମ ଚତୁର୍ବେଦୀଙ୍କର ଜନ୍ମ। ହାଇସ୍କୁଲରେ ପଢ଼ିବାବେଳକୁ ତାଙ୍କର ଉଚ୍ଚତା ଅସ୍ବାଭାବିକଭାବେ ବଢ଼ି ଛଅଫୁଟ ହୋଇ ସାରିଥିଲା। ଫଳରେ ସେ ଭିଡ଼ ଭିତରୁ ବି ବାରି ହୋଇପଡୁଥିଲେ। ହେଲେ ସାଙ୍ଗସାଥୀ ତାଙ୍କୁ ବହୁତ ଚିଡ଼ାଉଥିଲେ। ତାଙ୍କର ଉପର ଓଠରେ ବିକୃତି ଥିଲା। ତାହା ତାଙ୍କ ରୂପକୁ ଖରାପ କରିବା ସହ ସେ ଭଲରେ କଥା ବି ହୋଇପାରୁ ନ ଥିଲେ। ତେଣୁ ସମସ୍ତେ ତାଙ୍କୁ ଉପହାସ କରୁଥିଲେ। ତେବେ ଥରେ ତାଙ୍କର ଜଣେ ପାରିବାରିକ ମିତ୍ରଙ୍କର ତାଙ୍କ ଉଚ୍ଚତା ଉପରେ ନଜର ପଡ଼ିଲା। ସେ ପ୍ରସ୍ତାବ ଦେଲେ ବାସ୍କେଟବଲ ଖେଳିବା କଥା କେବେ ଭାବିଚ? ଏଇଠୁ ତାଙ୍କ ମନରେ ଏକ ନୂଆ ଆଶା ସଞ୍ଚରିତ ହେଲା। ସେ ଭାବିଲେ ଯେଉଁ ଉଚ୍ଚତା ପାଇଁ ପରିହାସର ଶିକାର ହେବାକୁ ପଡ଼ୁଛି, ତା’ର ସଦୁପଯୋଗ କରି ନାଁ କରିବି। ତେଣୁ ଏହି ଖେଳରେ ମନୋନିବେଶ କଲେ। ଖୁବ୍‌ ଶୀଘ୍ର ସେ ରାଜ୍ୟସ୍ତରୀୟ ଖେଳ ପାଇଁ ମନୋନୀତ ହୋଇଗଲେ। ଦିନକୁ ଦିନ ସେ ଭଲ ପ୍ରଦର୍ଶନ କରି ନାଁ କରିବାକୁ ଲାଗିଲେ। ହେଲେ ଭାଗ୍ୟ ପୁଣିଥରେ ତାଙ୍କ ସହ ଖେଳ ଖେଳିଲା। ୨୦୧୩ରେ ତାଙ୍କର ବ୍ରେନ ଟ୍ୟୁମର୍‌ ହୋଇଛି ବୋଲି ଜଣାପଡ଼ିଲା। ଦୁଇଟି ବଡ଼ ବଡ଼ ସର୍ଜରି ହେଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଖେଳଠୁ ଦୂରେଇ ରହିବାକୁ ହେଲା। ହେଲେ ତାଙ୍କର ବାସ୍କେଟବଲ ପ୍ରତି ଭଲ ପାଇବା ଓ ଦୃଢ଼ମନୋବଳ ତାଙ୍କୁ ଖୁବ୍‌ ଟ୍ୟୁମର ସହ ଲଢ଼ି ସୁସ୍ଥ ହେବାରେ ସାହାଯ୍ୟ କଲା। ୨୦୧୯ରେ ସେ ଟ୍ୟୁମରମୁକ୍ତ ବୋଲି ଘୋଷିତ ହେଲେ। ସେ ପୁଣି ଥରେ ଖେଳ ପଡ଼ିଆକୁ ଓହ୍ଲାଇଲେ। ଭଲ ପ୍ରଦର୍ଶନ ବି କଲେ। ସେ ଏବେ ଭାରତର ସାତଫୁଟିଆ ମହିଳା ବାସ୍କେଟବଲ ଖେଳାଳିଭାବେ ବେଶ୍‌ ପରିଚିତ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share