Categories: ଫୁରସତ

ବିଶ୍ୱର ସବୁଠୁ ଅସୁନ୍ଦର କୁକୁର

ସାନ ଫ୍ରାନ୍ସିସ୍କୋ : ସାଧାରଣତଃ କୁକୁରମାନେ ସ୍ନେହୀ ଓ ବିଶ୍ୱସ୍ତ ପ୍ରାଣୀ ଭାବେ ବେଶ୍‌ ଜଣାଶୁଣା। କେତେକ କୁକୁର ସେମାନଙ୍କ ସୋନ୍ଦର୍ଯ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସହ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥାନ୍ତି। ତେବେ ଏହାରି ଭିତରେ ଗୋଟିଏ କୁକୁର ବିଶ୍ୱର ସବୁଠାରୁ ଅସୁନ୍ଦର କୁକୁର ହେବାର ଆଖ୍ୟା ଅର୍ଜନ କରିଛି ।ପ୍ରତିବର୍ଷ ଆମେରିକାର କାଲିଫର୍ନିଆରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ, ଯେଉଁଠାରେ ସବୁଠାରୁ ଅସୁନ୍ଦର କୁକୁରକୁ ବିଜେତା ଭାବରେ ଚୟନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଏହି ପ୍ରତିଯୋଗିତାରେ ୱାଇଲ୍ଡ ଥାଙ୍ଗ୍‌ ନାମକ ଏକ କୁକୁରକୁ ସବୁଠାରୁ ଅସୁନ୍ଦର କୁକୁର ଭାବେ ଘୋଷଣା କରାଯାଇଛି।

ଆମେରିକାର ଓରେଗନରେ ରହୁଥିବା ଆନ୍‌ ଲୁଇସ୍‌ ନାମ୍ନୀ ଜଣେ ମହିଳାଙ୍କ ପୋଷା କୁକୁର ହେଉଛି ୱାଇଲ୍ଡ ଥାଙ୍ଗ୍‌। ଥାଙ୍ଗ୍‌ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ ୭ଟି କୁକୁରକୁ ହରାଇ ବିଜେତା ଘୋଷିତ ହୋଇଛି। ସୂଚନା ଅନୁଯାୟୀ, ୮ ବର୍ଷୀୟ ଏହି କୁକୁରଟି ପେକିଙ୍ଗିଜ୍‌ ନାମକ ଏକ ପ୍ରଜାତିର ହୋଇଥିବା ଜଣାପଡ଼ିଛି। ଥାଙ୍ଗ୍‌ ପୂର୍ବରୁ ଏହି ପ୍ରତିଯୋଗିତାରେ ୩ ଥର ଅଂଶଗ୍ରହଣ କରିସାରିଥିବାବେଳେ ସମସ୍ତ ଥର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ତେବେ ଥାଙ୍ଗ୍‌ ଡିଷ୍ଟେମ୍ପର ନାମକ ଏକ ରୋଗରେ ପୀଡ଼ିତ ରହିଛି। ଏହା ଏକପ୍ରକାରର ଭାଇରାଲ୍‌ ରୋଗ, ଯାହା ପଶୁମାନଙ୍କର ଶ୍ୱାସକ୍ରିୟାକୁ ସଂକ୍ରମିତ କରିଥାଏ। ଏହା ବ୍ୟତୀତ ଏହି ରୋଗ କୁକୁରମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଦୁର୍ବଳ କରିଥାଏ। ଏହି ପ୍ରତିଯୋଗିତାରେ ଜିତିବା ପରେ ଥାଙ୍ଗ ଓ ତାଙ୍କ ମାଲିକାଣୀ ଆନ୍‌ ଲୁଇସ୍‌ଙ୍କୁ ୫ ହଜାର ୟୁଏସ୍‌ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତା ଗତ ୫୦ ବର୍ଷ ଧରି କାଲିଫର୍ନିଆର ପଟାଲୁମାଠାରେ ଥିବା ସୋନୋମା-ମାରିନ ମେଳାରେ ଆୟୋଜିତ ହେଉଛି।

Share