ଜୀବିତ ଝିଅର ଶୁଦ୍ଧିକ୍ରିୟା କଲେ ମା’ ବାପା

ମୋହନା,୧୩।୯(ମନ୍ମଥ ମିଶ୍ର) ଝିଅ ବଞ୍ଚିଥିବା ବେଳେ ଶୁଦ୍ଧିକ୍ରିୟା କଲେ ମା’ ବାପା। ଅନ୍ୟ ସମ୍ପ୍ରଦାୟର ପୁଅକୁ ବାହା ହେଲେ ବୋଲି ମଙ୍ଗଳବାର ବିବାହର ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମରେ। ଗାଁର ସହଦେବ ସାହୁ ଛୋଟ ହୋଟେଲ କରି ପରିବାର ପ୍ରତିପୋଷଣ କରନ୍ତି। ପରିବାର କହିଲେ ୩ ଝିଅ ଓ ଜଣେ ପୁଅ। ବଡ ଝିଅ ବାହା ହୋଇ ଶାଶୁଘର ଚାଲି ଯାଇଥିବା ବେଳେ ମଝିଆ ଝିଅ ଯୁକ୍ତ ୨ ଶେଷ କରି ଘରେ ରହିଥିଲେ। ଅନ୍ୟ ଦୁଇ ଭାଇ, ଭଉଣୀ ପଢ଼ୁଛନ୍ତି। ତେବେ ମଝିଆ ଝିଅ ଚାନ୍ଦିନୀ ସ୍ଥାନୀୟ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବକ ଧନଞ୍ଜୟ ନାୟକଙ୍କୁ ପ୍ରେମ କରୁଥିଲେ। ପରିବାର ଲୋକେ ଏ ସମ୍ପର୍କରେ କିଛି ଜାଣି ନ ଥିଲେ। ତେଣୁ ଆସନ୍ତା ୨୨ ତାରିଖରେ ଚାନ୍ଦିନୀଙ୍କ ବାହାଘର ପାଇଁ ଅନ୍ୟ ଜଣେ ଯୁବକଙ୍କ ସହ ନିର୍ବନ୍ଧ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଘର ଲୋକେ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିଲେ। ହେଲେ ୨ ତାରିଖ ବିଳମ୍ବିତ ରାତିରେ ଚାନ୍ଦିନୀ ଘର ଛାଡ଼ି କୁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ। ଚାନ୍ଦିନୀ ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ଯୁବକ ଧନଞ୍ଜୟଙ୍କୁ ବାହା ହୋଇଥିବାର ଫଟୋ ୪ ତାରିଖରେ ସୋସିଆଲ ମିଡିଆରୁ ଦେଖିବାକୁ ପାଇଥିଲେ। ଏହାକୁ ଗ୍ରହଣ କରିପାରି ନ ଥିଲେ ବାପା, ମା’। ୬ ତାରିଖରେ ଥାନାରେ ଏ ନେଇ ଚାନ୍ଦିନୀଙ୍କ ବାପା ଅଭିଯୋଗ କରିଥିଲେ। ଝିଅ ଧର୍ମଦ୍ରୋହୀ ଓ ଜାତିଦ୍ରୋହୀ କାମ କରିବା ସହ ପରିବାର ଲୋକଙ୍କୁ ସମାଜରେ ଅପମାନିତ କରିଛି, ତେଣୁ ସେ ମରିଗଲା ବୋଲି ପରିବାର ଲୋକେ ଗ୍ରହଣ କରିନେଇଥିଲେ। ନିଖୋଜ ହେବାର ୧୧ ଦିନରେ ପରିବାର ଲୋକ ତାଙ୍କର ଆତ୍ମୀୟ ସ୍ବଜନ ଓ ପୁରୋହିତଙ୍କୁ ଡାକି ପୂଜା ପାଠ କରି ଶୁଦ୍ଧି ହେବା ସହ ଝିଅ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଉଲ୍ଲେଖଥାଉ କି, କିଛିଦିନ ତଳେ କେନ୍ଦ୍ରପଡ଼ା ଜିଲା ଆଳି ସଦର ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଥିଲା। ଝିଅ ପ୍ରେମ ବିବାହ କରିବାରୁ ତାଙ୍କ ପରିବାର ଲୋକେ ଝିଅର ଶୁଦ୍ଧିକ୍ରିୟା କରିଦେଇଥିଲେ।

Share