ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଡାକ୍ତରଖାନା ନର୍ସ ସେମାନଙ୍କୁ ଚିକିତ୍ସା ପାଇଁ ଆଡ୍‌ମିଶନ କରି ନ ଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ। ଖବରରୁ ଜଣାପଡ଼ିଛି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୁମୁଟିଗୁଡ଼ା ଗ୍ରାମର ସୁରେନ୍ଦ୍ର ମୁଦୁଲିଙ୍କ ସ୍ତ୍ରୀ ପଦ୍ମା ମୁଦୁଲି ଗୁରୁବାର ରାତିରେ ଘରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ପରେ ଉଭୟ ଶିଶୁଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ରାତିରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ମା’ ଓ ଶିଶୁଙ୍କୁ ଡାକ୍ତରଖାନାରେ ଦାୟିତ୍ୱରେ ଥିବା ନର୍ସ ଆଡ୍‌ମିଶନ କରି ନ ଥିଲେ। ମା’ ଶିଶୁଙ୍କ କରୋନା ପରୀକ୍ଷା ପରେ ସେ ରୋଗୀଙ୍କୁ ସ୍ପର୍ଶ କରିବେ ନ ହେଲେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଥିଲେ। ଫଳରେ ମା’ ଓ ନବଜାତ ଶିଶୁ ଆମ୍ବୁଲାନ୍ସ ଭିତରେ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ଏଡିଏମ୍‌ଙ୍କୁ ଜଣାଇଥିଲେ। ଏଡିଏମ୍‌ଙ୍କ ନିର୍ଦ୍ଦେଶ କ୍ରମେ ଦାୟିତ୍ୱରେ ଥିବା ଡାକ୍ତର ହସ୍ତକ୍ଷେପ କରିଥିଲେ। ପରେ ମା’ ଓ ନବଜାତଙ୍କୁ ଆଡମିଶନ କରି ୱାର୍ଡକୁ ନିଆଯାଇଥିଲା। ଅନ୍ୟପକ୍ଷେ କାର୍ଯ୍ୟରେ ଅବହେଳା କରିଥିବା ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Share