କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ତାଙ୍କର ଯତ୍ନ ନିଆ ନଯିବା ଏବଂ ନିୟମିତ ଚିକିତ୍ସା ନ ହେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏବେ ତଦନ୍ତ ଆରମ୍ଭ କରିଛି। ସେପଟେ ପ୍ରସବ ପରେ ଏମକେସିଜିରୁ ଶିଶୁ ଗାଏବ ହୋଇଥିଲା। ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଖୋଳତାଡ଼ କରିବା ପରେ ଶିଶୁଟି ଧରାକୋଟରୁ ଉଦ୍ଧାର ହୋଇଛି। ଶିଶୁଟିକୁ ସିଡବ୍ଲ୍ୟୁସିରେ ହାଜର କରିବା ପରେ ନାମକରଣ କରାଯାଇଛି। ତାହାକୁ ଉତ୍କଳ ବାଳାଶ୍ରମରେ ଥିବା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର (ସା)କୁ ପଠାଇ ଦିଆଯାଇଛି। ଗୁରୁବାର ପୂର୍ବାହ୍ନରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଏମକେସିଜିରେ ହିଁ ପଡିରହିଛି। ସେପଟେ ପରିବାର ଲୋକ ଓ ସମ୍ପର୍କୀୟ ମାନେ ମୃତଦେହ ନେବାକୁ ଆସିନାହାନ୍ତି ବୋଲି ଏମକେସିଜି ଅଧୀକ୍ଷକ ପ୍ରଫେସର ଡା.ସୂଚିତ୍ରା ଦାଶ କହିଛନ୍ତି। ପ୍ରସୂତିଙ୍କ ମମତା କାର୍ଡ ମଧ୍ୟ ନାହିଁ ବୋଲି ସେ କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବଡ଼ଗଡ଼ ଥାନା ଅଞ୍ଚଳର ନାବଳିକାଙ୍କ ବାପା ମାଆ କେହି ନଥିବା ବେଳେ ସେ ଜେଜେମା ପାଖରେ ରହୁଥିଲେ। ବିବାହ ପୂର୍ବରୁ ଗର୍ଭବତୀ ହେବା ଜଣାପଡିବା ପରେ ସମ୍ପର୍କୀୟ ମାନେ ଦୂରେଇ ଯାଇଥିଲେ। ଗତ ୨୩ ତାରିଖରେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହିମୋଗ୍ଲୋବିନ୍‌ କମ୍‌ ଥିବା ଜଣାପଡିବା ପରେ ଏମକେସିଜି ରେଫର କରାଯାଇଥିଲା। ସେଠାରେ ଗତ ୨୪ ତାରିଖରେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ରକ୍ତସ୍ରାବ ବନ୍ଦ ନ ହେବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ଶିଶୁପୁତ୍ରକୁ ଜଣ୍ଡିସ୍‌ ଥିବାରୁ ନିୟୋନେଣ୍ଟାଲ୍‌ ଆଇସିୟୁରେ ରଖାଯାଇଥିଲା। ଗତ ୨୮ତାରିଖରେ ଶିଶୁଟି ଗାଏବ ହୋଇଥିବା ସୁରାକ୍‌ ପାଇଥିଲେ ସିଡବ୍ଲୁସି ଅଧ୍ୟକ୍ଷ। ଖୋଳତାଡ଼ ପରେ ଶିଶୁଟିକୁ ଧରାକୋଟ ନିଆଯାଇଥିବା ଜଣାପଡିଥିଲା। ସିଡବ୍ଲ୍ୟୁସି ସଦସ୍ୟ ମାନେ ସଂପୃକ୍ତ ଆଶାକୁ ଯୋଗାଯୋଗ କରିବା ପରେ ସେ ଶିଶୁକୁ ଆଣି ସିଡବ୍ଲୁସିରେ ହାଜର କରିଥିଲେ ଏବଂ ତାଙ୍କୁ ସା’କୁ ନିଆଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ତାକୁ ପୁଣି ଏମକେସିଜିରେ ଭର୍ତ୍ତି କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରି ଡ. ଉମା ଶଙ୍କର ମିଶ୍ର କହିଛନ୍ତି, ନବଜାତ ଶିଶୁପୁତ୍ରକୁ ଆଶା ଡାକ୍ତରଖାନାରୁ କାହିଁକି ନେଇଯାଇ ଥିଲେ ତାହାର ତଦନ୍ତ ହେବ।