ଆପଣାଇଲା ନାହିଁ ମା’:ଜନ୍ମର ୩ ଦିନରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୨।୮(ଲିଙ୍ଗରାଜ ରାଉତ):ମା’ ନ ଆପଣେଇବାରୁ କର୍ମଚାରୀଙ୍କ ଯତ୍ନରେ ବଢୁଥିବା ବାଘଛୁଆର ଗୁରୁବାର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଧଳା ବାଘୁଣୀ ମୌସୁମୀ ୩ ଶାବକ ଜନ୍ମ ଦେଇଥିଲା। ସେଥିରୁ ୨ ମୃତ ଶାବକ ଥିଲେ। ହେଲେ ସୁସ୍ଥ ଶାବକକୁ ମୌସୁମୀ ଗ୍ରହଣ କରି ନ ଥିଲା। କର୍ତ୍ତୃପକ୍ଷ ଉକ୍ତ ଛୁଆକୁ ଆଣି ପ୍ରାଣୀ ଉଦ୍ୟାନ ଲାଳନପାଳନ କେନ୍ଦ୍ରରେ ଛାଡ଼ିଥିଲେ। ବୁଧବାର ଛୁଆଟିର ତରଳ ଛାଡ଼ା ହେଉଥିବାରୁ ସେ ଠିକ୍‌ରେ ଖାଦ୍ୟ ଗ୍ରହଣ କରୁ ନ ଥିଲା। ପୂର୍ବରୁ ୨ ଥର ଗର୍ଭବତୀ ହୋଇ ମଧ୍ୟ ମୌସୁମୀ ମା’ ହେବାରୁ ବଞ୍ଚିତ ଥିଲା। ଏଥର ସେ ପ୍ରଥମ ଥର ପାଇଁ ମା’ ହୋଇଥିଲା। ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ଶାବକ ଜନ୍ମ ହୋଇଥିବାରୁ ଜୀବିତ ଶାବକର ଓଜନ ସାଧାରଣ ଶାବକ ଓଜନ ତୁଳନାରେ କମ୍‌ (୭୮୦ ଗ୍ରାମ) ରହିଥିଲା। ତାହାକୁ ବଞ୍ଚାଇବା ପାଇଁ ଆଇସିୟୁରେ ରଖାଯାଇ ଯତ୍ନ ନିଆଯାଇଥିଲା। ଶାବକଟି ଏଣ୍ଟେରିକ୍‌ ସଂକ୍ରମଣରେ ପୀଡ଼ିତ ହେବାରୁ ତା’ର ମୃତ୍ୟୁ ଘଟିଥିବା ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।