ଆଲିଆଙ୍କ ସହ ଏମିତି ବନ୍ଧନ ଚାହୁଁଛନ୍ତି ଭାବି ଶାଶୁ

ଆଜିକାଲି ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ଉଭୟ କେବେ ବିବାହ କରିବେ ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। କିନ୍ତୁ ପ୍ରଶଂସକଙ୍କ ଅପେକ୍ଷା ବେଶୀ ରଣବୀର କପୁରଙ୍କ ମା’ ନୀତୁ କପୁର ଏହି ବିବାହକୁ ନେଇ ବ୍ୟଗ୍ର ଅଛନ୍ତି। ସେ ବୋହୂ ଆଲିଆଙ୍କୁ ନିଜ ଘରକୁ ଆଣିବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ଚାହୁଁନାହାନ୍ତି। ସେ ଚାହୁଁଛନ୍ତି ଆଲିଆ ଯଥାଶୀଘ୍ର କପୁର ପରିବାରର ବୋହୂ ହୁଅନ୍ତୁ। ନିକଟରେ ଏକ ସାକ୍ଷାତକାରରେ ନୀତୁ କହିଛନ୍ତି, ମୋର ଶାଶୁଙ୍କ ସହ ବହୁତ ଭଲ ବନ୍ଧନ ଥିଲା। ଆମେ ଦୁହେଁ ଭଲ ବନ୍ଧୁ ଥିଲୁ। ସ୍ବାମୀ ରୁଷି କପୁରଙ୍କ ଅପେକ୍ଷା ଶାଶୁ ମୋତେ ଅଧିକ ଭଲ ପାଉଥିଲେ। ଆଲିଆଙ୍କ ସହ ମୁଁ ସମାନ ସମ୍ପର୍କ ରଖିବାକୁ ଚାହେଁ।
ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଆଲିଆ ଓ ରଣବୀର ବିବାହ କରିବାକୁ ଚାହୁଁଛନ୍ତି। ତେବେ ଦୁହେଁ କେବେ ବିବାହ କରିବେ ତା’ର ତାରିଖକୁ ଗୁପ୍ତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ନିକଟ ସମ୍ପର୍କୀୟଙ୍କୁ ହିଁ ବିବାହ ତାରିଖ ବିଷୟରେ ସୂଚନା ମିଳିଛି। କୁହାଯାଉଛି ଯେ, ବଲିଉଡର ଏହି ଗ୍ରାଣ୍ଡ ୱେଣ୍ଡିଂରେ କେବଳ ଉଭୟଙ୍କ ପରିବାରର କିଛି ଘନିଷ୍ଠ ସମ୍ପର୍କୀୟମାନେ ହିଁ ସାମିଲ ହେବେ। ବିବାହ ପରେ ଗ୍ରାଣ୍ଡ ରିସେପ୍ସନ ହେବ, ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟି ସାମିଲ ହେବେ।

Share