ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି। ଯେଉଁ ଦୁଇ ପିଲାଙ୍କ କୋମଳ ହାତ ମା’ଙ୍କ ସ୍ନେହ ପାଇବା କଥା ସେହି ହାତ କିଭଳି ଏତେ ନିଷ୍ଠୁର ପାଲଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏନେଇ ମାନସିକ ବିଶେଷଜ୍ଞମାନେ ପାରିବାରିକ ପରିସ୍ଥିତି ଓ ସାମାଜିକ ପରିବେଶ ଯୋଗୁ ଏଭଳି ଘଟଣା ଘଟିଗଲା ବୋଲି କହୁଛନ୍ତି। ବାପା ଜେଲରେ ସଜା କାଟୁଥିବାବେଳେ ଘରେ ଥିବା ମା’ଙ୍କ ନିର୍ଯାତନା ଯୋଗୁ ପିଲାମାନେ ମାନସିକ ଆଘାତ ପାଇ ଏଭଳି ଘଟଣା ଘଟାଇଥିବା ଆଶଙ୍କା କରୁଛନ୍ତି। ଆପରାଧିକ ପିଲାଙ୍କୁ ଆଶ୍ରୟ ଦେଇଥିବା ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନର ଅଧ୍ୟକ୍ଷା ନିରୋଜାଲକ୍ଷ୍ମୀ ମହାପାତ୍ର କହିଛନ୍ତି, ଦୁଇ ନାବାଳକଙ୍କ ଲାଳନପାଳନରେ ସମସ୍ୟା ଯୋଗୁ ସେମାନଙ୍କ ଭିତରେ ଆପରାଧିକ ମାନସିକତା ଆସିଥାଇପାରେ। ଏଥିପାଇଁ ସେ ପୁରୀ ଜେଲ୍‌ର ତତ୍‌କାଳୀନ କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କରିଛନ୍ତି।
କହିଛନ୍ତି, ମା’ଙ୍କୁ ହତ୍ୟା କରିଥିବା ଦୁଇ ନାବାଳକଙ୍କ ବାପା ନିହାର ରଞ୍ଜନ ପ୍ରଧାନ ଏକ ହତ୍ୟା ମାମଲାରେ ପୁରୀ ଜେଲରେ ଆଜୀବନ ସଜା କାଟୁଛନ୍ତି। କଏଦୀଙ୍କ ପିଲାମାନେ ଯେପରି ଅପରାଧ ରାସ୍ତାରେ ପାଦ ନ ଦିଅନ୍ତି ସେଥିପାଇଁ ସରକାର ଶିକ୍ଷା ନିକେତନ ପ୍ରତିଷ୍ଠା କରିଛନ୍ତି। ଏଠାରେ ରହି କଏଦୀଙ୍କ ପିଲା ପାଠପଢା ସହିତ ନୈତିକ ଶିକ୍ଷା ପାଇଥାନ୍ତି। କଏଦୀଙ୍କ ପିଲାଙ୍କୁ ଜେଲ ଛାତ୍ରାବାସକୁ ନେବା ଦାୟିତ୍ୱ ହେଉଛି କାରା ମଙ୍ଗଳ ଅଧିକାରୀଙ୍କର। ହେଲେ ନିହାର ପ୍ରଧାନଙ୍କ ଦୁଇ ପୁଅଙ୍କ କ୍ଷେତ୍ରରେ ତତ୍‌କାଳୀନ ପୁରୀ କାରାମଙ୍ଗଳ ଅଧିକାରୀଙ୍କ ଅବହେଳା ଜଣାପଡୁଛି। ଯେଉଁଥିପାଇଁ ଦୁଇ ନାବାଳକ ଭାଇ ଅପରାଧ ଜଗତକୁ ଠେଲି ହୋଇ ଯାଇଛନ୍ତି ବୋଲି ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, କୌଣସି ପୁରୁଷ ଅପରାଧ କରି ଜେଲକୁ ଗଲେ ସାଧାରଣତଃ ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ କଏଦୀଙ୍କ ସ୍ତ୍ରୀ ଅନ୍ୟସହିତ ପଳାଇଯାଇଥାନ୍ତି କିମ୍ବା ଅନ୍ୟ କାହାସହିତ ସମ୍ପର୍କ ରଖି ନିଜ ପିଲାଙ୍କୁ ଅବହେଳା କରିଥାନ୍ତି। ସ୍ବାମୀଙ୍କ ଅନୁପସ୍ଥିତ ଯୋଗୁ ମାନସିକ ଭାରସାମ୍ୟ ହରାଇ ନିଶା ସେବନ କରନ୍ତି, ଯାହାକି ବିନୋଦିନୀଙ୍କ କ୍ଷେତ୍ରରେ ଘଟିଥାଇ ପାରେ। ତେଣୁ କହିବାକୁ ଗଲେ ପୂରା ପରିବାର ଏକ ପ୍ରକାର ଅସ୍ବାଭାବିକ ପରିସ୍ଥିତରେ ଥିଲା। କିଭଳି ଜଣେ ନାବାଳକ ଅପରାଧ ଦୁନିଆକୁ ଡେଇଁ ପଡ଼ନ୍ତି ସେନେଇ ମତ ଦେଇ କହିଛନ୍ତି, ଦୁଇ ନାବାକଙ୍କ ବାପା ଜେଲରେ ଥିବାରୁ ସ୍ନେହ ପ୍ରମର ଅଭାବ ରହିଥାଏ। ଏହି ଅଭାବ ମା’ପୂରଣ କରିବାର ଦାୟିତ୍ୱ ରହିଥାଏ। କିନ୍ତୁ ମା’ ମଦ ପିଇ ପିଲାଙ୍କୁ ନିର୍ଯାତନା ଦେଲେ ସେମାନେ ଏଭଳି ଅପରାଧ ଦୁନିଆକୁ ପାଦ ଦେଇଥାନ୍ତି ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ ପୁରୀ ଜେଲ୍‌ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

Share