ପାରିପାରିକ କଳହର କରୁଣ ପରିଣତି: କିରୋସିନ ଢାଳି ହୋଇ ମା’ ମୃତ, ଶିଶୁପୁତ୍ର ଗୁରୁତର

ନାଉଗାଁ,୩୦ା୯(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଆ ପଞ୍ଚାୟତ ତେଣ୍ଟୋଇ ଗ୍ରାମରେ ପାରିବାରିକ କଳହରୁ କିରୋସିନ ଢାଳି ହୋଇ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ତପନ ସେଠୀ ୫ ବର୍ଷ ତଳେ ଖୋର୍ଦ୍ଧା ଜିଲା ବନମାଳୀପୁରର ଗୁଆପୁର ଗ୍ରାମର ଲିପିଙ୍କୁ ପ୍ରେମ ବିବାହ କରିଥିଲେ। ଗୁରୁବାର ସକାଳେ ପରିବାରରେ କୌଣସି କାରଣକୁ ନେଇ କଳିଝଗଡ଼ା ଲାଗିଥିଲା। କଳହ ପରେ ଲିପିଙ୍କ ଶାଶୁ ଓ ସ୍ବାମୀ ଗାଁକୁ ଚାଲିଯିବା ପରେ ଲିପି ଦେଢ଼ବର୍ଷର ଶିଶୁକୁ ଧରି ଘରେ କିରୋସିନ ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଦେଖି ପଡ଼ିଶା ଲୋକେ ପାଣି ଢାଳି ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଆମ୍ବୁଲାନ୍ସ ଯୋଗେ ମା-ପୁଅଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ଲିପିଙ୍କୁ ମୃତ ଘୋଷଣା କରିଛନ୍ତି। ଶିଶୁପୁତ୍ରଟି ଗୁରୁତର ରହିଛି।

ନାଉଗାଁ ଥାନା ପକ୍ଷରୁ ଅଭୟ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଲିପିଙ୍କ ଶାଶୁ ଓ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଲିପିଙ୍କ ବାପଘର ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

Share