ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମା’ ଓ ଶିଶୁକନ୍ୟାଙ୍କ ମୃତଦେହ କୂଅରୁ ଜବତ କରାଯାଇଛି। ମୃତକ ହେଲେ ଗ୍ରାମର ହରି ଖରାଙ୍କ ସ୍ତ୍ରୀ ମୋତି (୩୫) ଓ ତାଙ୍କ ଶିଶୁ କନ୍ୟା ରଜନ୍ତୀ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଘରେ ପରିବାରର ସମସ୍ତେ ଶୋଇଥିବା ବେଳେ ରାତି ଅଧରେ ଉଠି ମୋତି ଝିଅକୁ ଧରି ବାହାରକୁ ଚାଲିଯାଇଥିଲେ। ଶନିବାର ସକାଳେ କୂଅପାଣି ଗୋଳିଆ ହୋଇଥିବା ଏବଂ ଭିତରେ ମୃତଦେହ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ କୂଅରୁ ମା’ ଝିଅଙ୍କ ମୃତଦେହ ଜବତ କରିଥିଲେ। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ସେ ଝିଅକୁ ଅଣ୍ଟାରେ ଗାମୁଛାରେ ବାନ୍ଧି କୂଅକୁ ଡେଇଁ ପଡିଥିବା ଜଣାପଡିଛି। ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ମୃତଦେହ ଜବତ ସମୟରେ ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ଉପସ୍ଥିତ ଥିଲେ। ମାଥିଲି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share