ମା’ ନିଜର ୩ ବର୍ଷର ଶିଶୁକୁ ଏକାକୀ ଘରେ ଛାଡି ପ୍ରେମିକ ସହ ବୁଲିବାକୁ ଚାଲିଗଲେ। ଏକ ସପ୍ତାହରୁ ଊର୍ଦ୍ଧ୍ୱ ଅର୍ଥାତ୍ ୮ ଦିନ ପରେ ଘରକୁ ଫେରିବା ପରେ ଭୋକ ଉପାସରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟୋକିଓରେ।
ସାକି କାକେହାସି ନାମକ ମହିଳା ନିଜର ୩ ବର୍ଷର ଝିଅ ନୋଆକୁ ଏକାକୀ ଘରେ ଛାଡି ପ୍ରେମିକ ସହ କାଗୋସିମା ପ୍ରିଫେକ୍ଚର ବୁଲିବାକୁ ଯାଇଥିଲେ। ୮ ଦିନ ପରେ ସେ ଘରକୁ ଫେରି ଦେଖାଲା ବେଳକୁ ଝିଅର ନିଶ୍ୱାସ ବନ୍ଦ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ସେ ଝିଅକୁ ଡାକ୍ତର ପାଖକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନ ଖାଇ ପିଇ ଶିଶୁଟିର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏପରିକି ଅନେକ ଦିନ ହେବ ଶିଶୁର ଡାଇପର ମଧ୍ୟ ବଦଳାଯାଇ ନ ଥିଲା।
ପ୍ରକାଶ ଯେ, ୨୦୧୭ରୁ ଏହି ମା’ ଝିଅ ଏକାକୀ ରହୁଥିଲେ। ଝିଅର ଅନେକ ଥର ଦେହ ଖରାପ ହୋଇଥିଲେ ମଧ୍ୟ ଗତ ୧ ବର୍ଷ ହେବ ତା’ର ଚିକିତ୍ସା ମଧ୍ୟ ହୋଇ ନ ଥିଲା। ବର୍ତ୍ତମାନ ପୋଲିସ ମା’ ସାକି ଙ୍କୁ ଗିରଫ କରିଛି।