ମିଠାରୁ ବାହାରିଲା ମୂଷା, ଦୋକାନ ସିଲ୍‌

କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଦୋକାନର ଜଣେ କର୍ମଚାରୀ ଦୋକାନରେ ମିଠାରେ ମୂଷା ପଡ଼ିଥିବା, ମଇଳା ଆବର୍ଜନା ପରିବେଶରେ ମିଠା ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପୌରପାଳିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ଅଭିଯୋଗ ମିଛ, ବିନା କାରଣ ଦର୍ଶାଇ ନୋଟିସ୍‌ରେ ଦୋକାନ ସିଲ କରିଦିଆଯାଇଥିବା ମାଲିକ ଶିବ କୁମାର ରାଠୋର କହିଛନ୍ତି। ଅନ୍ୟପକ୍ଷେ ସହରରେ ସରକାରୀ ନୀତି ନିୟମ ପାଳନ ନ କରି ବହୁ ବ୍ୟବସାୟିକ ସଂସ୍ଥା, ସ୍କ୍ରାପ୍‌ ବ୍ୟବସାୟ ଆଦି ଚାଲିଥିବା ବେଳେ ଏ ନେଇ ପୌରପାଳିକା ପକ୍ଷରୁ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଇନାହିଁ। ସେହିପରି ବହୁ ସରକାରୀ ଜମି ଜବରଦଖଲ କରି ବ୍ୟବସାୟ କରିବା, ପ୍ଲାନ୍‌ ବାହାରେ ଦୋକାନ ବଜାର ଚାଲିଥିବା, ବିନା ପାର୍କିଂ ବ୍ୟବସ୍ଥାରେ ଦୋକାନ, ବ୍ୟବସାୟିକ ସଂସ୍ଥା ଚାଲିଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କେତେକ କ୍ଷେତ୍ରରେ ନୋଟିସ ଦେଇ ବର୍ଷ ବର୍ଷ ସମୟ ଗଡ଼ାଇ ବେଆଇନ କାମକୁ ପ୍ରୋତ୍ସାହିତ କରାଯାଉଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଅଭିଯୋଗ କରିଛନ୍ତି। ତେବେ ନୋଟିସ କରିବା ସହ ସବୁ ବେଆଇନ କାମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରିଣୀ ଡାକ୍ତର ମଧୁସ୍ମିତା ସାମନ୍ତରା କହିଛନ୍ତି।